ଛତିଶଗଡ଼ରେ ଗୁଳିବିନିମୟ: ୩ ମାଓବାଦୀ ନିହତ

ରାୟପୁର,ଏଜେନ୍ସି: ଛତିଶଗଡ଼ର ବସ୍ତାର ଅଞ୍ଚଳର କଙ୍କେର ଜିଲ୍ଲାରେ ଆଜି ସକାଳେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ସମେତ ୩ ମାଓବାଦୀ ନିହତ ହୋଇଛନ୍ତି। ଅନ୍ୟପଟେ ଜଣେ ଯବାନ ଗୁଳିମାଡ଼ରେ ଆହତ ହୋଇଥିବାବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ କଙ୍କେର ଜିଲ୍ଲାର ରାଓଘାଟ ଥାନା ଅଞ୍ଚଳ ତାଡୋକି ଜଙ୍ଗଲରେ ଆଜି ସକାଳେ ମାଓବାଦୀ ଥିବା ସୂଚନା ପାଇ ଶସସ୍ତ୍ର ସୀମା ବଳ (ଏସଏସବି)ର ଯବାନମାନେ ଚଢ଼ଉ କରିଥିଲେ। ଏହି ସମୟରେ ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପରେ ଯବାନମାନେ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲେ। ଏଥିରେ ୩ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେହିପରି ଜଣେ ଯବାନ ମଧ୍ୟ ଆହତ ହୋଇଥିଲେ। ତେବେ ଘଟଣାସ୍ଥଳରୁ ପୁଲିସ ୩ଟି ଅସ୍ତ୍ରଶସ୍ତ୍ର ଜବତ କରିଥିବାବେଳେ ସେଥିରେ ଗୋଟିଏ ଅଟୋମେଟିକ ରାଇଫଲ ଥିବା ଜଣାପଡ଼ିଛି। ଏଥିସହିତ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଥିବା ପୁଲିସ ଆଇଜି ସୁନ୍ଦେରାଜ ପି ସୂଚନା ଦେଇଛନ୍ତି।