ସାଂସଦଙ୍କ ପାଇଁ ବହୁ ମହଲା ବିଶିଷ୍ଟ ଫ୍ଲାଟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଡ. ବିଡ଼ି ମାର୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚ୍ଚୁଆଲ ଜରିଆରେ ସାଂସଦ ମାନଙ୍କ ପାଇଁ ବହୁ ମହଲା ବିଶିଷ୍ଟ ଫ୍ଲାଟଗୁଡ଼ିକର ଉଦଘାଟନ କରିଛନ୍ତି। ତେବେ ୮୦ ବର୍ଷ ପୂରାତନ ୮ଟି ବଙ୍ଗଳାରେ ୭୬ଟି ଫ୍ଲାଟ ପ୍ରସ୍ତୁତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

ଏହି ଭର୍ଚ୍ଚୁଆଲ ଉଦଘାଟନ ସମୟରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ। ତେବେ ଆଜି ଶ୍ରୀ ବିର୍ଲାଙ୍କ ୫୮ ତମ ଜନ୍ମ ବାର୍ଷିକ ହୋଇଥିବାରୁ ଉଦଘାଟନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏଥି ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଆମ ସରକାରରେ କେବଳ ସାଂସଦ ବାସଭବନ ନୁହେଁ, ବହୁ ବର୍ଷ ଧରି ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକୁ ମଧ୍ୟ ଶେଷ କରାଯାଇଛି। ୨୩ ବର୍ଷ ଧରି ପଡ଼ିରହିଥିବା ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟରର କାମ ଆମ ସରକାରରେ ଶେଷ ହେବାକୁ ଯାଉଛି। ଇଣ୍ଡିଆ ଗେଟ ନିକଟରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଜାତୀୟ ଯୁଦ୍ଧ ସ୍ମୃତି ପୀଠର ନିର୍ମାଣ କରାଯାଇଛି। ସେହିପରି କେନ୍ଦ୍ରୀୟ ସୂଚନା ଆୟୋଗର ନୂଆ ବିଲ୍ଡିଂ, ଜାତୀୟ ପୁଲିସ ସ୍ମୃତି ପୀଠ ମଧ୍ୟ ଆମ ସରକାରରେ ନିର୍ମାଣ କରାଯାଇଥିବା କହିଛନ୍ତି।