ବିଶ୍ୱାମିତ୍ରଙ୍କ ମେନକା ପ୍ରୟୋଗ; ଘରମାଲିକଙ୍କୁ ବ୍ଲାକମେଲ କରି ୩ ଲକ୍ଷ ଲୁଟ

ବଲାଙ୍ଗିର,ଏନ୍ଏନ୍ଏସ୍: ନର୍ତ୍ତକି ମେନକାଙ୍କ ପ୍ରୟୋଗ କରି ଦେବ ଗଣ ଋଶି ବିଶ୍ୱାମିତ୍ରଙ୍କ ତପସ୍ୟା ଭଙ୍ଗ କରିବାରେ ସଫଳ ହୋଇଥିଲେ। ଏହାକୁ ସେ କାଳର ପ୍ରଥମ ହାନିଟ୍ରାପ ଘଟଣ କୁହାଯାଇପାରେ। କିନ୍ତୁ ଏବେ କଳିକାଳରେ ଏହାର ଠିକ୍‌ ଓଲଟା ଘଟଣା ଦେଖିବାକୁ ମିଳିଛି। ବଲାଙ୍ଗିର ଠାରେ ଜଣେ ବିଶ୍ୱାମିତ୍ର ନିଶା ଦେବା ପରେ ଜଣେ ମେନକାର ପ୍ରୟୋଗ କରି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ମାନହାନୀ କରିବା ସହ ୩ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି।

ସୂଚନାରୁ ପ୍ରକାଶ ଯେ, ବଲାଙ୍ଗିର ସହର ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରକୁ ବିଶ୍ୱାମିତ୍ର ଓ ବାନ୍ଧବି ଲଳିତା ଘରଭଡାରେ ରହିବାକୁ ଆସି ଘର ମାଲିକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ସହ ଚିହ୍ନା ପରିଚୟ ବଢ଼ାଇଥିଲେ। ଗତ ଅଗଷ୍ଟ ମାସ ୯ ତାରିଖ ଦିନ ସଂଧ୍ୟା ସମୟରେ ଘର ମାଲିକ ଶ୍ୟାମସୁନ୍ଦର ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ କିଛି ନିଶା ଦ୍ରବ୍ୟ ମିଶା ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ। ମାଲିକ ଅଚେତ ହେବାର ସୁଯୋଗ ନେଇ, ବାନ୍ଧବି ଲଳିତାଙ୍କ ସହ ମାଲିକଙ୍କ କିଛି ଅଶ୍ଲୀଳ ଭିଡ଼ିଓ ତିଆରି କରିବା ସହ ତାଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ।

ଗତ କିଛି ଦିନ ମଧ୍ୟରେ ମାଲିକଙ୍କ ଠାରୁ ତିନି କିସ୍ତିରେ ୩ ଲକ୍ଷ ଟଙ୍କା ନେଇ ସାରିଥିବା ବେଳେ ଅଭିଯୁକ୍ତମାନେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଦାବି କରିଥିବା ଘର ମାଲିକ ଶ୍ୟାମସୁନ୍ଦର କହିଛନ୍ତି। ଅଭିଯୁକ୍ତମାନଙ୍କୁ ୩ ଲକ୍ଷ ଟଙ୍କା ଦେଇ ସାରିବା ପରେ ମାନସିକ ଭାବରେ ଚାପଗ୍ରସ୍ତ ହୋଇ ଘରମାଲିକ ଶ୍ରୀ ମିଶ୍ର ହଠାତ୍‌ ନିଜ ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ। ତାଙ୍କ ନିଟକ ସମ୍ପର୍କୀୟମାନେ ତାଙ୍କୁ ଠାବ କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ମାମଲା ଥାନାରେ ପହଞ୍ଚିବ ପରେ ବଲାଙ୍ଗିର ପୁଲିସ ଅଭିଯୁକ୍ତା ଲଳିତା ବାରିକ ଓ ବିଶାମିତ୍ର ନାୟକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କ ନାଁ ଓ କାର୍ଯ୍ୟକଳାପ ଶୁଣିବା ପରେ ସ୍ଥାନୀୟ ଲୋକେ ଏହି ଘଟଣାକୁ କଳି ଯୁଗର ବିଶ୍ଵାମିତ୍ରଙ୍କ ମେନକା ପ୍ରୟୋଗ ବୋଲି ଚର୍ଚ୍ଚା କରୁଛନ୍ତି।