ପ୍ଲାଜମା ଦାନ କଲେ ୩ ଆଇଆରବି ଯବାନ

କୋରାପୁଟ,ଏନ୍ଏନ୍ଏସ୍: ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ୩ ଜଣ ଆଇଆରବି ଯବାନ ପ୍ଲାଜମା ଦାନ କରିଛନ୍ତି। କୋରାପୁଟ ୭ମ ଆଇଆରବିର ପ୍ରକାଶ କିଶାନ ୧୦୦ ତମ ବ୍ୟକ୍ତି ଭାବେ ପ୍ଲାଜମା ଦାନ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏପିଡି ତଥା ଜିଲ୍ଲା ପ୍ଲାଜମା ବ୍ୟାଙ୍କ ନୋଡାଲ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ୭ମ ଆଇଆରବିର ନୀଳମାଧବ ସ୍ୱାଇଁ ଓ କୃଷ୍ଣଚନ୍ଦ୍ର କର୍ଣ୍ଣ ମଧ୍ୟ ଆଜି ପ୍ଲାଜମା ଦାନ କରିଛନ୍ତି।

ଏହି ଅବସରରେ ପ୍ଲାଜମା ଦାନ କରିଥିବା ବ୍ୟକ୍ତି ଓ ମେଡିକାଲ୍ ଟିମକୁ ମହେଶ୍ୱର ନାୟକ ପୁଷ୍ପଗୁଛ ଦେଇ ସମ୍ବର୍ନ୍ଧିତ କରିଥିଲେ। କରୋନା ରୋଗର ନିରାକରଣ ପାଇଁ ଗତ ବର୍ଷ ଅଗଷ୍ଟ ୨୭ରେ ପ୍ଲାଜମା ୟୁନିଟ ଉଦଘାଟିତ ହୋଇଥିଲା। ଦାମନଯୋଡିର ବିଷ୍ଣୁ ଗରଡା ପ୍ରଥମ ବ୍ୟକ୍ତି ଭାବେ ପ୍ଲାଜମା ଦାନ କରିଥିଲେ। ୧୦୦ ଜଣ ବ୍ୟକ୍ତିଙ୍କଠାରୁ ୧୯୦ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଥିବା ବେଳେ ୪୯ ୟୁନିଟ ବ୍ୟବହୃତ ହୋଇ ସାରିଛି।

୧୪୧ ୟୁନିଟ ମହଜୁଦ ରହିଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାର ୬୪, ରାୟଗଡାର ୫, ମାଲକାନଗିରିର ୧୬ ଓ ନବରଙ୍ଗପୁରରୁ ୧୫ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଥିବାବେଳେ ପୁଲିସ ବିଭାଗର ସର୍ବାଧିକ ୬୫ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି।