ନୂଆଦିଲ୍ଲୀ,ଏଜେନ୍ସି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଏଠାରେ ପ୍ରତିରକ୍ଷା ବାହିନୀର ତିନି ମୁଖ୍ୟଙ୍କୁ ୩ଟି ପୃଥକ ସିଷ୍ଟମ ହସ୍ତାନ୍ତର କରିଛନ୍ତି। ଏହି ତିନିଟି ସ୍ୱତନ୍ତ୍ର ସିଷ୍ଟମକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ପ୍ରସ୍ତୁତ କରାଯାଇଛି। ରାଜନାଥ ପ୍ରଥମେ ନୌବାହିନୀ ମୁଖ୍ୟ ଆଡମିରାଲ କରମବୀର ସିଂହଙ୍କୁ ‘ଇଣ୍ଡିଆନ ମାରିଟାଇମ ସିଚୁଏସନାଲ ଆୱାରନେସ ସିଷ୍ଟମ (ଆଇଏମଏସଏଏସ) ପ୍ରଦାନ କରିଥିଲେ। ଏହାଦ୍ୱାରା ନୌବାହିନୀ ଅଧିକାରୀମାନେ ଶତ୍ରୁପକ୍ଷର ଜାହାଜର ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିବେ।
ଏହାପରେ ସେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୋରିଆଙ୍କୁ ‘ଅସ୍ତ୍ର ଏମକେ-୧’ ମିସାଇଲ ସିଷ୍ଟମ ପ୍ରଦାନ କରିଥିଲେ। ଏହାଦ୍ୱାରା ସୁଖୋଇ ଓ ରାଫେଲ ଭଳି ଅତ୍ୟାଧୁନିକ ଯୁଦ୍ଧବିମାନରୁ ସ୍ୱଦେଶୀ କାରିଗରୀ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇପାରିବ। ଶେଷରେ ରାଜନାଥ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେଙ୍କୁ ‘ବର୍ଡର ସର୍ଭିଲାନ୍ସ ସିଷ୍ଟମ (ବସ୍) ପ୍ରଦାନ କରିଥିଲେ। ଏହାଦ୍ୱାରା ଭାରତୀୟ ଯବାନ ସବୁ ଋତୁରେ ଆନ୍ତର୍ଜାତିକ ସୀମା ଉପରେ ତୀକ୍ଷ୍ଣ ନଜର ରଖିପାରିବେ ବୋଲି କୁହାଯାଇଛି।