ପରୀ ହତ୍ୟା ଘଟଣା: ସରୋଜଙ୍କ ସମେତ ୩ ଜଣଙ୍କୁ ଘରୁ ଉଠାଇନେଲା ଏସ୍ଆଇଟି

ନୟାଗଡ଼,ଏନ୍ଏନ୍ଏସ୍: ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀଙ୍କୁ ଶନିବାର ସକାଳେ ଏସଆଇଟି ଯଦୁପୁର ଗାଁ ସ୍ଥିତ ଘରୁ ଉଠାଇ ନେଇଛି। ସରୋଜଙ୍କ ମା’ ଏବଂ ବଡ଼ ଭଉଣୀଙ୍କୁ ମଧ୍ୟ ଏସଆଇଟି ସାଙ୍ଗରେ ନେଇଛି। ତେବେ ସେମାନଙ୍କୁ କେଉଁଥି ପାଇଁ ଏବଂ କେଉଁ ସ୍ଥାନକୁ ଏସଆଇଟି ନେଇଛି ତାହା ସ୍ପଷ୍ଟ ହୋଇନାହିଁ।

ସକାଳୁ ସକାଳୁ ଏସଆଇଟିର ପ୍ରାୟ ୧୦ ଜଣ ସଦସ୍ୟ ପରୀର ଗ୍ରାମ ଯଦୁପୁରରେ ଅଚାନକ ପହଞ୍ଚିଥିଲେ। ପରେ ସରୋଜ ଓ ତାଙ୍କ ପରିବାରବର୍ଗଙ୍କୁ ଉଠାଇ ନେଇଥିଲେ। ସରୋଜଙ୍କ ଘର ପରୀର ଘରକୁ ଲାଗିକରି ଥିବାବେଳେ, ତାଙ୍କ ବାଡ଼ି ପଛ ପଟୁ ହିଁ ପରୀର ଶବ ଉଦ୍ଧାର ହୋଇଥିଲା। ଏପରିକି ସରୋଜଙ୍କୁ ପୂର୍ବରୁ ମଧ୍ୟ ୨ ଥର ଉଠାଇ ନେଇ ପଚରାଉଚରା କରିଥିଲା ଏସଆଇଟି। ତାଙ୍କ ଠାରୁ ରକ୍ତ ନମୁନା ଏବଂ ଲାଳ ମଧ୍ୟ ଏସ୍ଆଇଟି ସଂଗ୍ରହ କରିଛି। ଏହାବାଦ୍ ସରୋଜଙ୍କର ପିନ୍ଧା ଡ୍ରେସ୍, ସେ ଶୋଉଥିବା ଖଟ, ତାଙ୍କ ବଡ଼ ଭଉଣୀଙ୍କ ମୋବାଇଲ ଫୋନକୁ ମଧ୍ୟ ଜବତ କରିଥିଲା ତଦନ୍ତକାରୀ ଟିମ୍। ଆଜି ୩ ଜଣଙ୍କୁ ଘରୁ ଉଠାଇ ନେବାପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ସୂଚନାଯୋଗ୍ୟ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ସରୋଜ ନିକଟରେ ସାଂଘାତିକ ଅଭିଯୋଗ ଆଣିଥିଲେ। ବୋଥ୍ରା ତାଙ୍କୁ ଡରାଇ ଧମକାଇ ପରୀର ହତ୍ୟାକାରୀ ବୋଲି ସ୍ୱୀକାର କରିବାକୁ ବାଧ୍ୟ କରିଥିଲେ। ଏପରିକି ଏମିତି କଲେ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କହିଥିଲେ। ନିର୍ଭୟା ଗଣଦୁଷ୍କର୍ମରେ ଫାଶି ପାଇଥିବା ୪ ଦୋଷୀଙ୍କ ଭିଡିଓ ଦେଖାଇ କିପରି ଅନ୍ୟ ଜଣେ ଦୋଷୀ ନାବାଳକ ହୋଇଥିବାରୁ ତାଙ୍କୁ ଫାଶୀ ବଦଳରେ ସୁଧାର ଗୃହକୁ ପଠାଯାଇଥିଲା ତାହା ବୁଝାଇଥିଲେ।

ସରୋଜଙ୍କ ବୟସ ୧୮ ବର୍ଷ ହୋଇଥିବା ବେଳେ ସେ ଦୋଷ ମାନିଲେ ତାଙ୍କୁ ୧୭ ବର୍ଷ ବୋଲି ଦର୍ଶାଯିବ ଏବଂ ପରେ ସେ ୪ ବର୍ଷ ସୁଧାର ଗୃହରେ ରହି ବାହାରି ଆସିବେ ବୋଲି କହିଥିଲେ ବୋଥ୍ରା। ଏପରିକି ସରୋଜ ହିଁ ଦୋଷୀ ଏବଂ ସେ ନିଜେ ନମାନିଲେ ତାଙ୍କୁ କୌଣସି ପ୍ରକାରେ ଦୋଷୀ ସାବ୍ୟସ୍ତ କରାଇଦିଆଯିବ ବୋଲି ଡରାଇଥିଲେ ଆଇପିଏସ୍ ଅରୁଣ ବୋଥ୍ରା। ନିଜେ ସରୋଜ ଗଣମାଧ୍ୟମ ଆଗରେ ଏସବୁ କଥା କହିଛନ୍ତି। ତେବେ ସରୋଜଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ଗତକାଲି ସ୍ପଷ୍ଟୀକରଣ ରଖିଛି ଓଡ଼ିଶା ପୁଲିସ।