ନିଲିଗୁଡ଼ା ହତ୍ୟାକାଣ୍ଡ ଘଟଣାରେ ୩ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ନିଲିଗୁଡ଼ା ଗ୍ରାମରେ ଗତ ଶୁକ୍ରବାର ରାତିରେ ହୋଇଥିବା ହତ୍ୟାକାଣ୍ଡର ପୁଲିସ ପର୍ଦ୍ଦାଫାସ କରିଛି। ଏହି ହତ୍ୟାକାଣ୍ଡ ଘଟାଇଥିବା ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ଗତ ଶୁକ୍ରବାର ସନ୍ଧ୍ୟାରେ ପଡ଼ିଆ ଥାନା ଅନ୍ତର୍ଗତ ନିଲିଗୁଡ଼ା ଗ୍ରାମର ବୁଦୁରା ପଡ଼ିଆମିଙ୍କ ଘର ନିକଟରେ ୨ଜଣ ଅଜଣା ବ୍ୟକ୍ତି ତାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରି ଫେରାର ହୋଇ ଯାଇଥିଲେ। ଫଳରେ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ବୁଦୁରାର ସ୍ତ୍ରୀ ଘର ବାହାରକୁ ଆସି ଦେଖିବା ବେଳକୁ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ବାହାରେ ପଡ଼ି ରହିଥିଲା। ଏନେଇ ମୃତ ବୁଦୁରାର ସ୍ତ୍ରୀ ପଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଗାଁରେ ପହଁଚି ତଦନ୍ତ ଆରମ୍ଭ କରିଥିଲା। କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ସହ ଏକ ସନ୍ଧାନୀ କୁକୁର ଦଳ ମଧ୍ୟ ଗ୍ରାମକୁ ଆସି ତନାଘନା କରିଥିଲା। ଗତକାଲି ଗ୍ରାମର କିଛି ଲୋକଙ୍କୁ ପୁଲିସ ଆଣି ପଚରାଉଚୁରା କରିବା ପରେ ଏଥିରେ ସାମିଲ ଥିବା ଇର୍ମା କବାସୀ, ଏରା କବାସୀ ଓ ଇଡିଆ ପୁନେମଙ୍କୁ ଗିରଫ କରିଥିଲା। ଆଜି ଗିରଫ ୩ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି। ବୁଦୁରା ଗ୍ରାମରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ଏଭଳି ହତ୍ୟାକାଣ୍ଡ ଘଟାଇଥିବା ୩ ଅଭିଯୁକ୍ତ ପୁଲିସ ଆଗରେ ସ୍ୱୀକାର କରିଥିବା ପଡ଼ିଆ ଥାନାଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି।