ଭୁବନେଶ୍ୱର/ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ରେ ଜାଲ ନୋଟ କାରବାର କରୁଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ ଚଢ଼ଉ କରି ୨ଲକ୍ଷ ୬୦୦ ଟଙ୍କାର ନୋଟ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମଙ୍ଗଲୁ ମାଲଖାର (୪୨), ବରଗଡ଼ରେ ରହୁଥିବା କଟକ ଲାଲବାଗ ଅଞ୍ଚଳର ସୁଦର୍ଶନ ମହାନ୍ତି (୩୬) ଓ ବରଗଡ଼ ବରପାଲୀର ପ୍ରଫୁଲ୍ଲ ମେହେର (୫୬)। ଏମାନଙ୍କ ବିରୋଧରେ ବରଗଡ଼ ସଦର ଥାନରେ ଏକ ମାମଲା (କେସ ନମ୍ବର-୯୪)ରେ ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ବରଗଡ଼, ସମ୍ବଲପୁର ଓ ଆଖପାଖ ଅଞ୍ଚଳରେ ନକଲି ନୋଟ କାରବାର ହେଉଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା। ପରେ ଏସଟିଏଫ୍ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ବରଗଡ଼ରେ ଡେରା ପକାଇଥିଲା। ତେବେ ଗୁରୁବାର କିଛି ବ୍ୟକ୍ତି ଭଟଲି ଛକ ନିକଟରେ ଜାଲ ନୋଟ କାରବାର କରୁଥିବା ବେଳେ ଏସଟିଏଫ୍ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୩ ଜଣ ଧରାପଡ଼ିଥିବା ବେଳେ ଅନ୍ୟ ୨ ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପୁଲିସ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ଅଳ୍ପ କିଛି ଜାଲ ନୋଟ ଜବତ ହୋଇଥିଲା। ପଚରାଉଚରା ପରେ ସେମାନେ ଲୁଚାଇ ରଖିଥିବା ୨ଲକ୍ଷ ୬୦୦ ଟଙ୍କାର ଜାଲ ନୋଟ ପୁଲିସ ଜବତ କରିଥିଲା। ଜବତ ଟଙ୍କା ମଧ୍ୟରେ ୨୮୮ ଖଣ୍ଡ ୫୦୦ ଟଙ୍କିଆ, ୨୩୩ଟି ୨୦୦ ଟଙ୍କିଆ ଓ ୧୦୦ଟି ୧୦୦ ଟଙ୍କିଆ ନୋଟ ରହିଛି। ତେବେ ଏମାନେ ନକଲି ନୋଟ କେଉଁଠୁ ଆଣିଥିଲେ ଓ କେଉଁ ଉପାୟରେ ଏହାକୁ ବଜାରକୁ ଛାଡୁଥିଲେ, ସେ ନେଇ ପୁଲିସ ତନାଘନା କରୁଛି। ଅଧିକ ତଥ୍ୟ ପାଇଁ ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ଛତିଶଗଡ଼ରୁ ଜାଲ ନୋଟ ଓଡ଼ିଶା ଆସୁଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ହାଜରେ ଧରାପଡ଼ିଥିବା ମଙ୍ଗଲୁ ମାଲଖାର ସପ୍ତାହକୁ ଦୁଇଥର ଓଡ଼ିଶା ଆସି ଫେରି ଯାଇଥାଏ। ତେଣୁ ସେ ଜାଲ୍ ନୋଟ ଆଣି ଏଜେଣ୍ଟଙ୍କ ମାଧ୍ୟମରେ ଓଡ଼ିଶା ମାର୍କେଟରେ କାରବାର କରୁଥିବା ସନ୍ଦେହ କରାଯାଉଛି। କେବଳ ବରଗଡ଼ କିମ୍ବା ସମ୍ବଲପୁର ନୁହେଁ ବରଂ କଟକ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ନକଲି ନୋଟ କାରବାର ହେଉଥିବା ପୁଲିସକୁ ସୁରାକ ମିଳିଛି। ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତମାନେ ରିମାଣ୍ଡରେ ଆସିବା ପରେ ରହସ୍ୟ ଖୋଲିବ ବୋଲି ପୁଲିସ ଆଶା ରଖିଛି।