ନରକଙ୍କାଳ ଜବତ ଘଟଣା : ତଣ୍ଟି ଚିପି ମାରିଥିଲେ; ତିନି ଗିରଫ

ଫୁଲବାଣୀ,ବାଲିଗୁଡ଼ା, ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଗତ ୨୫ ତାରିଖରେ ପୁଲିସ ହାତ ଗୋଡ଼ା ବନ୍ଧା ଏକ ନରକଙ୍କାଳ ଜବତ କରିଥିଲା । ଆଜି ଏହି ଘଟଣାର ଫର୍ଦ୍ଦାଫାସ୍ କରିଛି ବାଲିଗୁଡ଼ା ପୁଲିସ୍। ଏନେଇ ଆଜି ବାଲୁିଗୁଡ଼ା ପୁଲିସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଅଭିଯୁକ୍ତ ଅଜୁ ବଗର୍ତ୍ତି, ବିପିନ ବଗର୍ତ୍ତି ଓ ଭଇରା ଗୌଡ଼ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଏମାନଙ୍କ ଠାରୁ ହତ୍ୟା ଘଟଣାରେ ବ୍ୟବହୃତ ହୋଇଥିବା କୋଡି, ଗଇଁତି ଓ ଏକ କାଠକୁ ଜବତ କରା ଯାଇଛି। ବାଲିଗୁଡା ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ପୁଜାରୀ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।