ଚୋରା କାଠପଟା ଜବତ, ୩ ଅଟକ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଫରେଷ୍ଟ ରେଞ୍ଜ ରେଙ୍ଗାଳବେଡା ମହାସିନ୍ଧୁ ରାସ୍ତାରେ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨୫ଖଣ୍ଡ କାଠ ପଟା ଜବତ କରାଯିବା ସହ ଏକ ଟାଟା ଏସସିଇ ଏବଂ ୩ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଅମ୍ବିକା ଅମାତ(୨୫) ,ଶିବ ଦଳବେହେରା (୪୦) ଓ ମନୋରନଞ୍ଜ ସାହୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି ବନ ବିଭାଗ। ସୂଚନା ଅନୁଯାୟୀ, ଗତକାଲି ରାତିରେ ରେଙ୍ଗାଳବେଡା ମହାସିନ୍ଧୁ ରାସ୍ତାଦେଇ ଏକ ଟାଟା ଏସସିଇ ଗାଡିରେ ଚୋରା କାଠ ଆସୁଥିବା ସୂଚନା ପାଇ ରେଞ୍ଜର ଭବାନୀ ଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ଫରେଷ୍ଟର ରମେଶ ଚନ୍ଦ୍ର ତ୍ରିପାଠୀ, ବନରକ୍ଷୀ ଅପସରି ଟପ୍ୱୋ, ବଳଭଦ୍ର ରାଜହଂସ, ବିକ୍ରମ ରାଜହଂସ ଓ ବିଜୟ ଗରିଆ ପ୍ରମୁଖ ଉକ୍ତ ରାସ୍ତାରେ ଛକି ରହିଥିଲେ। ଏହି ସମୟରେ ଏକ ନମ୍ବର ବିହୀନ ଟାଟା ଏସସିଇ ଦୃତଗତିରେ ଆସୁଥିବା ଦେଖି ବନକର୍ମଚାରୀମାନେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରି ଉକ୍ତ ଗାଡିରୁ ୨୫ ଖଣ୍ଡ ଚୋରା କାଠ ପଟା ଜବତ କରାଯାଇଥିଲା।