ମୁଖ୍ୟ ଆସାମୀ ସହ ୩ ଗିରଫ, କାର୍-ବାଇକ୍ ଜବତ

ଗଣେଶ ମନ୍ଦିର ନିକଟରେ ମୃତଦେହ ମିଳିବା ଘଟଣା

କୋରାପୁଟ,ଏନ୍ଏନଏସ୍ : ଗତ ୪ ତାରିଖରେ ପଟ୍ଟାଙ୍ଗି ଗଣେଶ ମନ୍ଦିର ନିକଟରେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପୁଲିସ୍ ସ୍ପଷ୍ଟ କରିଥିବାବେଳେ ମୁଖ୍ୟ ହତ୍ୟାକାରୀ ସମେତ ୩ଜଣକୁ ଗିରଫ କରା ଯାଇଥିବା ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି। ହତ୍ୟାର ମୁଖ୍ୟ କାରଣ ଅନଲାଇନ୍ କେସିନୋ ଗେମ୍ ବୋଲି ପୁଲିସ୍ ସୂଚନା ଦେଇଛି। ସୂଚନା ଥାଉକି, ୩ତାରିଖ ରାତିରେ ପଟ୍ଟାଙ୍ଗିର ଲୋକନାଥ ଚୌଧରୀଙ୍କ ପୁଅ ଗଂଗା ପ୍ରସାଦ ଚୌଧରୀ(୨୭)କୁ ଅଭିଯୁକ୍ତମାନେ ହତ୍ୟାକରି ଗଣେଶ ମନ୍ଦିର ନିକଟରେ ଫୋପାଡି ଚାଲି ଯାଇଥିଲେ। ପରଦିନ ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।

ପରିବାର ତରଫରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ପଟ୍ଟାଙ୍ଗି ଥାନା ଅଧିକାରୀ ବିଜୟ ରାଜ ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଥିଲାବେଳେ ପୁଲିସ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପଟ୍ଟାଙ୍ଗି ଉପର ସାହିର ଅନୀଲ କୁମାର ପାଢୀ(୨୪), ଅଜିତ୍ ଖୀଲ(୨୧) ଓ ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଖରସନ୍ଧା ଗ୍ରାମର ଗଣେଶ ରାଉଳ (୨୨)କୁ ଗିରଫ କରିଥିଲା। ଗିରଫ ପରେ ହତ୍ୟାକାଣ୍ଡର ମୁଖ୍ୟ କାରଣ ଟଙ୍କା ଦେଣନେଣ ବୋଲି ଜଣାପଡିଛି। ଏସଡିପିଓ ଶ୍ରୀ ବେହେରାଙ୍କ ସୂଚନା ମୂତାବକ , ମୃତ ଗଂଗା ପ୍ରସାଦ ଚୌଧରୁ ଓରଫ କୁନା ଅନ୍ ଲାଇନ୍ କେସିନୋ ଗେମ୍ ଖେଳାଉଥିଲା। ଅନୀଲ କୁମାର ପାଢୀର ଭାଇ ସୁନୀଲ୍ ପାଢୀ କେସିନୋ ଗେମ୍ ଖେଳି ହାରିଯାଇ ଗଂଗା ପାଖେ ପ୍ରାୟ ୩ ଲକ୍ଷ ଟଙ୍କା ଧାର ହୋଇଥିଲେ। ଗଂଗା ବାରମ୍ବାର ଟଙ୍କା ମାଗିବାରୁ ଅନୀଲର ବାପା କୌଣସି ପ୍ରକାରେ ଦେଢଲକ୍ଷ ଟଙ୍କା ସୁଝିଥିଲେ। ବାକି ଟଙ୍କା ପାଇଁ ଭାସ୍କର ଚିନ୍ତିତ ରହୁଥିଲେ ଓ ସେ ଜଣେ ଡାଇବେଟିସ୍ ରୋଗୀ ଥିବାରୁ ଚିନ୍ତାରେ ଅନେକ ସମୟରେ ଦେହ ଖରାପ ରହୁଥିଲା। ବାପାଙ୍କ ଏଭଳି ଅବସ୍ଥା ଦେଖି ଅନୀଲ୍ ପାଢୀ ଗଂଗାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲା ଓ ଗଜପତିର ସୁପାରୀ କିଲର୍ ଗଣେଶ ରାଉଳ ସହ ଯୋଗାଯୋଗ କରିଥିଲା।