ଭିଡ଼ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା: ଫୋକସରେ ଭୁବନେଶ୍ୱର-ନନ୍ଦନକାନନ ରୋଡ୍ ମହାନଗର By Nitidin Last updated Oct 30, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ବୁଧବାର ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି । ପୁଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଥିବାବେଳେ ଏହାକୁ ଚନ୍ଦ୍ରଶେଖରପୁର ଥାନା ପରିସରରେ ଅସ୍ଥାୟୀ ଭାବେ କାର୍ୟ୍ୟକ୍ଷମ କରାଯାଇଛି । ସହରରେ ଗାଡି ମୋଟର ସଂଖ୍ୟା ଦିନକୁ ଦିନ ବଢ଼ୁ୍ଥିବାବେଳେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସହରରେ ଆଉ ଦୁଇଟି ଟ୍ରାଫିକ ଥାନାର ଆବଶ୍ୟକ ଥିବା ନେଇ କମିସନରେଟ ପୁଲିସ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା । ଗୋଟିଏ ରସୁଲଗଡ ଓ ଗୋଟିଏ ଚନ୍ଦ୍ରଶେଖରପୁର ଅଞ୍ଚଳରେ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ସରକାର ଏହାର ତର୍ଜମା କରି ଗୋଟିଏ ଟ୍ରାଫିକ ଥାନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହେବାକୁ ଯାଉଥିବା ଟ୍ରାଫିକ ଥାନା ନର୍ଥରେ ପରିସୀମା ମଧ୍ୟ ସ୍ଥିର କରାଯାଇଛି । ଟ୍ରାଫିକ ଥାନା ନର୍ଥ ଅଧିନରେ ୮ଟି ଥାନା ଯଥା ଖଣ୍ଡଗିରି, ନୂଆପଲ୍ଲୀ, ତମାଣ୍ଡୋ, ଜଟଣୀ, ଚନ୍ଦ୍ରଶେଖରପୁର, ଇନଫୋସିଟି, ନନ୍ଦନକାନନ ଓ ଚନ୍ଦକା ଥାନା ଅଧିନରେ ଥିବା ସମସ୍ତ ରାସ୍ତା ଓ ଛକ ରହିବ । ଏଥିପାଇଁ ଜଣେ ଇନ୍ସପେକ୍ଟର, ୧୦ଜଣ ଅଫିସର, ୧୦ଜଣ ହାବିଲଦାର, ୧୪୦ଜଣ କନଷ୍ଟେବଲ ଓ ୪ଜଣ ସହକାରୀ ଡ୍ରାଇଭରଙ୍କୁ ନିଯୁକ୍ତ କରାଯିବ । ଏଥିପାଇଁ ସରକାରୀ ଅନୁମତି ମିଳିସାରିଛି । ଏହି ଥାନା ଉଦଘାଟନ ପରେ ସହରରେ ଟ୍ରାଫିକ ନିୟନ୍ତ୍ରଣ ଲାଗି ବେଶ ସହାୟକ ହେବ । ପରବର୍ତ୍ତୀ ସମୟରେ ଖଣ୍ଡଗିରି, ଉତରା ଓ ରସୁଗଡରେ ଟ୍ରାଫିକ ଥାନା ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଟ୍ରାଫିକ ୟୁନିଟକୁ ଥାନାରେ ପରିବର୍ତ୍ତନ କରାଯାଇଛି । ଉଦଘାଟନ ଉତ୍ସବରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂ, ଡିସିପି ଟ୍ରାଫିକ ସାଗରିକା ନାଥଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । Share