୨୮ତମ ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜି ଝାରସୁଗୁଡ଼ା ଜିଲ୍ଲାକୁ ୨୭ ବର୍ଷ ପୁରିଛି। ୧୯୯୪ ମସିହା ଜାନୁଆରୀ ପହିଲାରେ ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏହା ଏକ ନୂତନ ଜିଲ୍ଲାରେ ପରିଣତ ହୋଇଥିଲା। ଫଳରେ ଆଜିର ଦିନକୁ ସ୍ମରଣ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାର ୨୮ ତମ ପ୍ରତିଷ୍ଠା ଦିବସ ନିରାଡମ୍ବର ସହକାରେ ପାଳିତ ହେଉଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରତିଷ୍ଠା ଦିବସରେ ପାଳନ କରାଯାଉଥିବା ଝାରସୁଗୁଡ଼ା ମହୋତ୍ସବ ଦୁଲଦୁଲିକୁ ଚଳିତବର୍ଷ ସ୍ଥଗିତ ରଖାଯାଇଛି। ଏହି ଅବସରରେ ଝାଡ଼େଶ୍ୱର ମନ୍ଦିର ଏବଂ କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନମୋହନ ସ୍କୁଲ ପଡିଆରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି।

ଝାରସୁଗୁଡ଼ା ଚୌକି ପଡ଼ାସ୍ଥିତ ଓଭରବ୍ରିଜ, ପ୍ରସନ୍ନ ପଣ୍ଡା ଛକ ଓଭର ବ୍ରିଜ ଓ ବୋଲପହାଡ଼ର କୋଲ କରିଡର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ସେହିପରି ହୀରାକୁଦ ବିସ୍ଥାପିତ ବୁଡ଼ିଅଞ୍ଚଳିଆଙ୍କ ସମସ୍ୟା ସମାଧାନ ପାଇଁ ପ୍ରାୟ ୭ ହଜାର ହୀରାକୁଦ ବସ୍ଥାପିତଙ୍କୁ ଏପ୍ରିଲ ୨୦୨୧ ସୁଦ୍ଧ ଘରଡିହିର ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି। ଏହି ଅବସରରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶିବ ଟପ୍ପୋ, ପ୍ରକଳ୍ପ ଅଧିକାରୀ ତପିରାମ ମାଝୀ, ତାପସ ରାୟ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ନୃପଚରଣ ଡନସେନା, ବାର ଆସୋସିଏସନ ସଭାପତି ତ୍ରିନାଥ ଗୋଏଲ, ପିଣ୍ଟୁ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଜିଲ୍ଲାର ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତଭଣ୍ଡାରକୁ ପ୍ରଦାନ କରାଯାଇଛି। ଏହାସହ ଝାରସୁଗୁଡ଼ାର ପ୍ଲାଜମା ଡୋନାରମାନଙ୍କୁ ସମ୍ମାନିତ କରାଯାଇଥିଲା।