୨୮ ଷ୍ଟ୍ରିଟ ଲାଇଟ ଜବତ, ୩ ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଖଣି ଅଧିନସ୍ତ କର୍ଲାଜୋରୀ ସାଇଡିଂରୁ ଖେରୁଆଲବାହାଲ ରାସ୍ତାରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ ଚୋରି କରିଥିବା ୩ ଚୋରକୁ ଆଜି ଲଖନପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ କର୍ଲାଯୋରୀ ଗ୍ରାମର ଜିତେନ ଚୌଧୁରୀ(୨୮), ଆଶିଷ କରାଳୀ(୨୧) ଓ ଗଙ୍ଗାଧର ଭୁଏ (୨୩) ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ, ନବ ନିର୍ମିତ କର୍ଲାଜୋରୀ ସାଇଡିଂରୁ ଖେରୁଆଲବାହାଲ ଡାଇଭରଜେନ୍ ରାସ୍ତାରେ ଲଗାଯାଇଥିବା ୨୮ଟି ଷ୍ଟ୍ରିଟ ଲାଇଟ ଓ ଜିଆଇ ବ୍ରାକେଟକୁ ଅଭିଯୁକ୍ତମାନେ ଚୋରୀ କରିଥିଲେ। ଏନେଇ ଏମସିଏଲ ଲଖନପୁର ଖଣି କ୍ଷେତ୍ରର ସିକ୍ୟୁରିଟି ଅଫିସର ଅମିତ ନଉନି ଲଖନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତମାନେ ବନ୍ଦବାହାଲ କ୍ୱାଟର ଲାଇନରେ ଜଣେ ଠିକାଦାର ଅଧିନରେ ଇଲେକ୍ଟ୍ରିକାଲ ହେଲପର ଭାବରେ କାମ କରିବାସହ ଷ୍ଟ୍ରିଟ ଲାଇଟ ବିକ୍ରି କରିବା ପାଇଁ କିଛି ଲୋକଙ୍କ ସହ ସମ୍ପର୍କ କରିଥିବା ପୁଲିସ ଜାଣିବାକୁ ପାଇଲା।

ଏହାପରେ ପୁଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରା ଉଚୁରୁ କରିବା ସମୟରେ ସେମାନେ ଷ୍ଟ୍ରିଟ ଲାଇଟ ଚୋରୀ କରିବା ସହ ବିକ୍ରି କରିବା ଉଦେଶ୍ୟରେ ଜିତେନ ୧୦ଟି ଆଶିଷ ଓ ଗଙ୍ଗାଧର ୯ଟି ଲେଖାଏଁ ବାଂଟି ବା ସହ ଜିଆଇ ବ୍ରାକେଟକୁ ଜଙ୍ଗଲରେ ପିଙ୍ଗି ଦେଇଥିବା ପୁଲିସ ନିକଟରେ କହିଛନ୍ତି। ପୁଲିସ ସେମାନେ ଚୋରି କରିଥିବା ଷ୍ଟ୍ରିଟ ଲାଇଟକୁ ଜବତ କରିଛି।