୨୮ ଦାଦନ ଉଦ୍ଧାର

ନୂଆପଡ଼ା,ଏନ୍ଏନ୍ଏସ୍ : ନୂଆପଡ଼ା ଜିଲ୍ଲାରୁ ପୁଣି ୨୮ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକମାନେ ଖଡ଼ିଆଳ ଥାନା ବରପଦ ଗାଁର ବୋଲି ଜଣାପଡ଼ିଛି। ଶ୍ରମିକମାନଙ୍କୁ ଚାଲାଣ ପୂର୍ବରୁ ବୋଡେନ ଥାନା ଆମ୍ବଗୁଡ଼ା ଗାଁରେ ଜଣଙ୍କ ଘରେ ରଖାଯାଇଥିଲା। ସମସ୍ତ ଦାଦନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଆମ୍ବଗୁଡ଼ା ଗାଁ କାଜୁ ବଗିଚା ପଡ଼ାର ଜଣଙ୍କ ଘରେ ରଖାଯାଇଥିଲା। ସୁଯୋଗ ଦେଖି ସମସ୍ତଙ୍କୁ ଦଲାଲମାନେ ଚୋରା ଚାଲାଣ କରିବାକୁ ଯୋଜନା କରିଥିଲେ। ହେଲେ ତା ପୂର୍ବରୁ ବୋଡେନ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରି ସେଠାରୁ ସମସ୍ତ ଦାଦନଙ୍କୁ ଉଦ୍ଧାର କରିଥିଲେ।

ଉଦ୍ଧାର ଦାଦନମାନେ ହେଲେ ବରପଦର ଗାଁର ଭୁପତି ବାଗ(୫୦), ହେମ ବାଗ(୩୫), ଡୋରାସିଂ ବାଗ(୪୦), ଯଶୋଦା ବାଗ(୩୦), କୁବେର ପତି ବାଗ(୩୦), କମଲା ବାଗ(୨୮), ଲକ୍ଷବଚ୍ଚ ସୁନା (୨୦), ରିନି ସୁନା (୧୯), ଗଙ୍ଗାଧର ନିଆଲ(୧୮), ବନ୍ଧର୍ବ ନିଆଲ(୫୦), ଯଶୋଦା ନିଆଲ,(୪୦), ଆଶିଷ କପୁର ନିଆଲ (୨୬), ସ୍ୱର୍ଣ୍ଣଲତା ନିଆଲ(୨୪), କାମଦେବ ନିଆଲ (୨୫), ଜାତି ନାଏକ (୨୩)। ସାଙ୍ଗରେ ଥିବା ନାବାଳକ ତଥା ଶିଶୁମାନେ ହେଲେ ଜଗମହନ, ସାବେତ୍ରୀ, ଝାକର, ରାହୁଲ, ନିରୁବାଗ, ତୁଷାର, କିରନ, ନୀଳକଣ୍ଠ, ଦିବ୍ୟଶ୍ରୀ, ଆଶିଷ, ଦେବରାଜ, ମିରା। ସମସ୍ତଙ୍କୁ ଉଦ୍ଧାର କରି ପୁଲିସ ବୋଡେନ ଥାନାକୁ ଆଣିଥିଲା। ଶ୍ରମ ଅଧିକାରୀ ଥାନାରେ ପହଞ୍ôଚ ସମସ୍ତଙ୍କୁ ପଚରାଉଚୁରା କରିଥିଲେ। ଏହାପରେ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇ ଦିଆଯାଇଥିବା ବୋଡେନ ଥାନାଧିକାରୀ ସରୋଜ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଏହାସହ ଦାଦନ ସର୍ଦ୍ଦାର ଓ ଦଲାଲଙ୍କ ସନ୍ଧାନ ଚାଲିଥିବାବେଳେ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ କହିଛନ୍ତି।