ଝାରସୁଗୁଡାରେ ଲକଡାଉନ କଟକଣା ଉଲଙ୍ଘନ: ଆଦାୟ ହେଲାଣି ୨୭ ଲକ୍ଷ ଟଙ୍କା ଫାଇନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସର୍ବ ସାଧାରଣରେ ଛେପ ନପକାଇବା ପାଇଁ ଗାଇଡଲାଇନ ଜାରି କରିଥିବା ବେଳେ ଏହାକୁ ପାଳନ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି। ମାତ୍ର କେତେକ ଅମାନିଆ ଏହି ନିୟମର ଉଲଂଘନ କରିବାକୁ ପଛାଉ ନାହାନ୍ତି। ଏମାନଙ୍କୁ ସାବାଡ କରିବା ପାଇଁ ପୁଲିସ ଲକଡାଉନ ଆରମ୍ଭରୁ ଫାଇନ ଆଦାୟ କରୁଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ଲକଡାଉନ କଟକଣା ଉଲଂଘନ କରିଥିବା ଲୋକଙ୍କଠାରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର ସୂଚନା ଦେଇଛନ୍ତି।

ଏଥିରେ ବିନା ମାସ୍କରେ ପଦାକୁ ଆସିଥିବା ଲୋକଙ୍କଠାରୁ ୧୯ ଲକ୍ଷ ୭୬ ହଜାର ୯୪୦ ଟଙ୍କା ଆଦାୟ ହୋଇଛି। ସେହିପରି ସାମାଜିକ ଦୂରତା ଉଲଙ୍ଘନ କରିଥିବା ଲୋକଙ୍କଠାରୁ ପ୍ରାୟ ୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଆଦାୟ ହୋଇଛି। ସେହିପରି ନିୟମ ଉଲଙ୍ଘନ କରିଥିବା ପ୍ରାୟ ଅନେକ ଦୋକାନ ସିଲ କରାଯାଇଛି। ଏଥିସହ ଲକଡାଉନ ନିୟମ ଉଲଙ୍ଘନ କରିଥିବା ୪ ହଜାର ଗାଡି ଜବତ କରାଯାଇଥିବାବେଳେ ୨୪୮ ଜଣଙ୍କ ବିରୋଧରେ ମାମାଲା ରୁଜୁ କରି ୨୦୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ତେବେ ଲକଡାଉନ ୪.୦ ଆରମ୍ଭରୁ ସମସ୍ତ କଟକଣା କୋହଳ ହୋଇଥିବା ମାନି ଲୋକେ ନିଦ୍ୱର୍ନ୍ଦରେ ଚଳପ୍ରଚଳ କରୁଛନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ଛକରେ ଫ୍ଲାଗ ମାର୍ଚ୍ଚ କରାଯାଉଛି।