ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩ଟି ହୋମ କ୍ୱାରେଣ୍ଟାଇନ ଓ ୨ଟି ସ୍ଥାନୀୟ ମାମଲା ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ସତ୍ୟନଗରର ଜଣେ ୩୬ ବର୍ଷୀୟ ପୁରୁଷ ଓ ଜୟଦେବ ବିହାର ନିରାଙ୍କରୀ ନଗରର ଜଣେ ୨୨ ବର୍ଷୀୟ ଯୁବକ ରହିଛନ୍ତି। ଉଭୟଙ୍କର ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି। ପଟିଆ ଶ୍ରୀ ବିହାରର ଜଣେ ୨୫ ବର୍ଷୀୟ ଯୁବତୀ ରହିଛନ୍ତି ଯିଏକି ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡ଼ିଛି। ସେହିପରି ଡୁମଡୁମା ହାଉସିଂବୋର୍ଡ କଲୋନୀର ଜଣେ ୩୭ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟ ଜଣେ ୨୪ ବର୍ଷୀୟ ସରକାରୀ ମେଡିକାଲ ଅଫିସର ରହିଥିବା ସୂଚନା ମିଳିଛି।
