ପୂର୍ବଠାରୁ ଏ ଲକଡାଉନ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ: ପୁଲିସ କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ୪ଟି ଜିଲ୍ଲା ଓ ରାଉରକେଲା ମହାନଗରରେ ୧୪ ଦିନିଆ ଲକଡାଉନ ଆଜି ରାତି ୯ଟାରୁ ଲାଗୁ ହେବାକୁ ଯାଉଛି। ତେବେ ସ୍ୱାଭାବିକ ସ୍ଥିତି ଫେରିନି, ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ପୂର୍ବଠାରୁ ଏ ଲକଡାଉନ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ। ଗ୍ରୋସରୀ ଓ ପନିପରିବା ଦୋକାନ ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଖୋଲିବ। ଘର ପାଖ ଦୋକନାରୁ ଜିଣିଷ କିଣନ୍ତୁ, ଚାଲି ଚାଲି ଯାଆନ୍ତୁ। ଲକଡାଉନ ସମୟରେ ରାସ୍ତାକୁ ବାଇକ କିମ୍ବା କାର ବାହାର କରନ୍ତୁ ନାହିଁ । ଆଉ ଯଦି କେହି ଅମାନିଆ ବ୍ୟକ୍ତି ବାଇକ ନେଇ ଜିନିଷ କିଣିବାକୁ ଗଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏଥିସହିତ ଉକ୍ତ ପାଞ୍ଚଟି ସ୍ଥାନରୁ ସାପ୍ତାହିକ ସଟଡାଉନ ଉଠିଯିବ। ମେଡିକାଲ ଷ୍ଟାଫ, ଗଣମାଧ୍ୟମ ପ୍ରତିନିଧି ପାସ୍ ଦେଖାଇ ଯାଇପାରିବେ। କୌଣସି ଗଣମାଧ୍ୟମ ପ୍ରତିନିଧି ମିଛ ପରିଚୟ ପତ୍ର ଦେଖାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମେଡିକାଲ ଷ୍ଟାଫ ନିଜ ପରିଚୟ ପତ୍ର ଦେଖାଇ ଯାଇପାରିବେ। ୨୫ ପ୍ରତିଶତ କର୍ମଚାରୀରେ ବ୍ୟାଙ୍କ କାର୍ଯ୍ୟ ଚାଲିବ। ବ୍ୟାଙ୍କ କର୍ମଚାରୀ ନିଜ ପରିଚୟ ପତ୍ର ଓ କର୍ତୃପକ୍ଷଙ୍କ ଚିଠି ଦେଖାଇ ଯାଇପାରିବେ। ଏଥିସହିତ ଆଇଟି ସଂସ୍ଥା ୧୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ୍ ଡାକିପାରିବେ। ସରକାରୀ କର୍ମଚାରୀ ନିଜ ପରିଚୟ ପତ୍ର ଓ ବିଭାଗୀୟ କର୍ତୃପକ୍ଷଙ୍କ ଚିଠି ଦେଖାଇବେ। ସମସ୍ତେ ଉକ୍ତ ପରିଚୟ ପତ୍ର କେବଳ ଅଫିସ୍ କାର୍ଯ୍ୟ ପାଇଁ ବ୍ୟବହାର କରିବାକୁ କମିଶନର ଅନୁରୋଧ କରିଛନ୍ତି।

ସେହିପରି ଏୟାରପୋର୍ଟ ଓ ରେଳ କର୍ମଚାରୀଙ୍କୁ ଯିବାକୁ ଅନୁମତି ମିଳିବ। ଔଷଧ ଦୋକାନ କର୍ମଚାରୀ ଟ୍ରେଡ ଲାଇସେନ୍ସ କପି ଦେଖାଇ ଯିବେ। ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯିବ ନାହିଁ। ସହର ଭିତରକୁ ପଶିବାକୁ କିମ୍ବା ବାହାରକୁ ଯିବାକୁ ଅନୁମତି ନେବାକୁ ପଡ଼ିବ। ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଥାନାରୁ ଅନୁମତି ନେବାକୁ ପଡ଼ିବ ଏବଂ ନିର୍ଦ୍ଧାରିତ ଲୋକଙ୍କ ସହ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ବରିଷ୍ଠ ନାଗରିକ ଘର ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରିବା ସହ ତାଙ୍କ ପାଇଁ ହୋମ ଡେଲଭରି ସେବା ଉପଲବ୍ଧ ଥିବା କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।