୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲା, ପ୍ରଥମ ପର୍ଯ୍ୟାୟରେ ୨୬ ଜଣଙ୍କୁ ଆଇସୋଲେସନରେ ଭର୍ତ୍ତି

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଗତକାଲି ପ୍ରଥମ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେବାପରେ ଦେବଗଡ଼ ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ଉକ୍ତ ବ୍ୟକ୍ତି ସଂସ୍ପର୍ଶରେ ୪୦ରୁ ଊର୍ଦ୍ଧ୍ୱ ଜଣ ଆସିଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ୨୬ ଜଣଙ୍କୁ ଆଇସୋଲେସନରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କରୋନା ପଜିଟିଭ ବ୍ୟକ୍ତି ଜଣକ ତିଲେଇବଣୀ ବ୍ଲକ୍ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର। ତାଙ୍କୁ ଦେବଗଡ଼ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା।

ଏଥିସହ ଉକ୍ତ ଗ୍ରାମକୁ ସାନିଟାଇଜ ନ ହେବା ପର୍ଯ୍ୟନ୍ତ କାହାରିକୁ ଗ୍ରାମକୁ ପ୍ରବେଶ ଦିଆଯିବ ନାହିଁ। ଗ୍ରାମରେ ପ୍ରତ୍ୟକ୍ଷ ସସ୍ପର୍ଶରେ ଆସିଥିବା ନିଜ ପରିବାର ଓ ପଡୋଶୀଙ୍କୁ ମିଶାଇ ମୋଟ ୨୬ଜଣଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲ ଆଇସୋଲେସନରେ ଭର୍ତ୍ତି କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ମନୋଜ କୁମାର ଉପଧ୍ୟାୟ ପ୍ରକାଶ କରିଥିବା ବେଳେ ୪୦ ଊଦ୍ଧ୍ୱର୍ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି।

ତେବେ ସଂକ୍ରମିତ ବ୍ୟକ୍ତି ନିଜ ଗ୍ରାମରେ ଖୋଲା ଖୋଲି ବୁଲା ଚଲା କରିଥିବାରୁ ଉକ୍ତ ଗ୍ରାମର ଅନେକ ଗ୍ରାମବାସୀ ମଧ୍ୟ ପରୋକ୍ଷ ସଂସ୍ପର୍ଶରେ ଆସିଥିବା ଏବଂ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଆତିରିକ୍ତ ଜିଲ୍ଲାପାଲ ଧରମ ହାଂସଦା ପ୍ରକାଶ କରିଛନ୍ତି।