ସେମିଲିଗୁଡା ପୁଲିସ ଦ୍ୱାରା ୨୫ ଲକ୍ଷର ଗଞ୍ଜେଇ ଜବତ,୨ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ସେମିଲିଗୁଡା ପୁଲିସ ଦ୍ୱାରା ଖରାଗୁଡାରୁ ଏକ ପିକଅପ ଭ୍ୟାନରୁ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେମିଲିଗୁଡା ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ସୂଚନା ଦେଇଛନ୍ତି। ଗିରଫ ଦୁଇଜଣ ପାଡୁଆ ଅଞ୍ଚଳର ସରୋଜ କୁମାର ମହାନ୍ତି ଓ ଶେକ୍ ଅଲ୍ଲୀ ବୋଲି ଜଣାପଡିଛି। ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ମହାରାଷ୍ଟ୍ରକୁ (ଓଡି-୧୦ଏଲ-୮୫୯୪) ନମ୍ବର ଥିବା ଏକ ଭ୍ୟାନରେ ନନ୍ଦପୁରରୁ ସେମିଲିଗୁଡା ଆଡକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ଶ୍ରୀ ସାହୁ ପାଇଥିଲେ।

ପରେ ଶ୍ରୀ ସାହୁଙ୍କ ନିର୍ଦ୍ଦେଶରେ ମହିଳା ସବ-ଇନ୍ସପେକ୍ଟର ଅନୀତା ନାୟକ ପୁଲିସ ଟିମ ସହ ଖରାଗୁଡା ଛକରେ ନାକାବନ୍ଦୀ କରିଥିଲେ। ସେଠାରେ ଗାଡ଼ି ଯାଞ୍ଚ କରି ଉକ୍ତ ଭ୍ୟାନକୁ ଧରିଥିଲେ। ଗାଡିରେ କରାଯାଇଥିବା ସ୍ୱତନ୍ତ୍ର ଚାମ୍ବରରେ ରଖାଯାଇଥିବା ୨ କିଲୋ ଓଜନର ୧୨୫ ପେକେଟରୁ ୨୭୬ କିଲୋ ଗଞ୍ଜେଇ ମିଳିଥିଲା। ପୁଲିସ ଟିମ ଅତିରିକ୍ତ ତହସିଲଦାର ତଥା ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ ଦେବବ୍ରତ କରାତିଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରିଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡିଛି।