ବାହାଘର ଭୋଜି ଖାଇ ଜଣେ ମୃତ, ୨୫ ଅସୁସ୍ଥ

ନୟାଗଡ଼,ଏନ୍ଏନ୍ଏସ୍: ବିବାହ ଭୋଜି ଖାଇ ୨୫ ଜଣ ଗୁରୁତର ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ଜିଲ୍ଲାର ଓଡ଼ଗାଁ ବ୍ଲକ ରବିଗାଡ଼ିଆ ଗ୍ରାମପଞ୍ଚାୟତ କୁରୁମବାଙ୍କତରା ଗାଁରେ ଘଟିଛି ଏହି ଅଘଟଣ।
କୁରୁମବାଙ୍କତରା ଗ୍ରାମ ଆଡୁଆ ସାହିରେ ଭୋଜି ଖାଇ ୨୫ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ମୃତକ ଜଣଙ୍କ ହେଲେ ରାଧା ବାରିକଙ୍କ ୫୫ ବର୍ଷୀୟା ପତ୍ନୀ ମାଟିଆଣୀ ବାରିକ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତମାନଙ୍କୁ ସ୍ଥାନୀୟ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି। ତେବେ ଭୋଜି କିଭଳି ବିଷାକ୍ତ ହେଲା ସେ ନେଇ କୌଣସି ସୂଚନା ମିଳିନାହିଁ।