ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାରେ ପୋଷ୍ଟର, ୨୫ ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: କୋରୋନା ଭାଇରସର ଭ୍ୟାକ୍ସିନକୁ ନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚନାରେ ଲଗାଯାଇଥିଲା ପୋଷ୍ଟର। ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ ଗତକାଲି ୧୫ ଜଣଙ୍କୁ ଗିରଫ କରିବା ସହିତ ୧୭ଟି ମାମଲା ରୁଜୁ କରିଥିଲା। ଆଜି ଏହି ମାମଲାରେ ଆଉ ୧୦ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ଘଟଣାରେ ୨୫ ଜଣଙ୍କ ଗିରଫ କରି ଏଫଆଇଆର ଦାଏର କରିଛି।

ପ୍ରିଣ୍ଟିଂ ପ୍ରେସର କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ ପୋଷ୍ଟର ଲଗାଇବାକୁ ଦିଆଯାଇଥିଲା। ଏଥିପାଇଁ ଏମାନଙ୍କୁ ମିଳିଥିଲା ଟଙ୍କା। ଏହି ପୋଷ୍ଟର ଦିଲ୍ଲୀର ଖଜୁରୀ, କଲ୍ୟାଣପୁରୀ, ଦୟାଲପୁର, ଭଜନପୁରା, ମଙ୍ଗୋଲପୁରୀ, ପୁରୁଣା ଦିଲ୍ଲୀ, ଖ୍ୟାଲା, ମୋତି ନଗର ଅଞ୍ଚଳରେ ଲଗାଯାଇଥିଲା। ପୋଷ୍ଟରରେ ଲେଖାଯାଇଥିଲା ଯେ ‘ମୋଦୀ ଜି ଆମ ପିଲାଙ୍କ ଟିକାକୁ କାହିଁକି ବିଦେଶ ପଠାଇଲ’।