ୟୁକ୍ରେନରୁ ଫେରୁଛନ୍ତି ଆଉ ୨୪୦ ଭାରତୀୟ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଇତିମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ ଗଙ୍ଗା’ ମଧ୍ୟ ଜାରି ରହିଛି । ଆଜି ସକାଳ ୬ଟା ୩୦ରେ ଏୟାର ଇଣ୍ଡିଆର ୫ମ ବିମାନ ୨୪୯ ଭାରତୀୟ ନାଗରିକଙ୍କୁ ନେଇ ୟୁକ୍ରେନରୁ ଦିଲ୍ଲୀ ଫେରିଛି । ପରେ ପାଖାପାଖି ୧୧ଟା ୩୦ରେ ୬ଷ୍ଠ ବିମାନ ମଧ୍ୟ ଭାରତ ପାଇଁ ଉଡ଼ାଣ ଭରି ସାରିଛି । ଉକ୍ତ ବିମାନ ବୁଦ୍ଧାପେଷ୍ଟରୁ ୨୪୦ ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀ ଆସୁଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତ ସରକାର ଫେବୃଆରୀ ୨୬ରୁ ‘ଅପରେସନ ଗଙ୍ଗା’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫ଟି ବିମାନ ଯୋଗେ ୧୧୫୬ ଭାରତୀୟ ନାଗରିକ ୟୁକ୍ରେନରୁ ଭାରତ ଫେରିଛନ୍ତି । ୬ଷ୍ଠ ବିମାନ ଦିଲ୍ଲୀରେ ପହଂଚିବା ପରେ ସଂଖ୍ୟା ୧୩୯୬ ହୋଇଯିବ ।