ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳିବିନିମୟ, ୨୨ ଯବାନ ସହିଦ

ରାୟପୁର,ଏଜେନ୍ସି: ଛତିଶଗଡ଼ରେ ସିଲଗେର ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ୩୧ ଜଣ ଆହତ ହୋଇଛନ୍ତି। ୨୧ ଜଣ ଯବାନ ନିଖୋଜ ଥିବା ସୂଚନା ଦେଇଛି ଛତିଶଗଡ ପୁଲିସ।

ସୂଚନା ଅନୁସାରେ ଛତିଶଗଡ଼ର ସିଲଗେର ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ମିଳିବା ପରେ ସେଠାରେ ଡିଆରଜି ଓ ସିଆରପିଏଫ ପକ୍ଷରୁ ମିଳିତ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ପରେ ନକ୍ସଲ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨୧ ଜଣ ନିଖୋଜ ଅଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଏଥିରେ ଅନେକ ନକ୍ସଲ ମୃତାହତ ହୋଇଥିବାବେଳେ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ କରିଛି ପୁଲିସ।

ଏନକାଉଣ୍ଟରରେ ଆହତ ହୋଇଥିବା ୩୧ ଜଣ ଯବାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ବିଜାପୁର ଡାକ୍ତରଖାନା ଓ ୮ ଜଣଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ କଥା ହୋଇଛନ୍ତି। ଏହାସହ ଶାହା ମଧ୍ୟ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ମହାନିର୍ଦ୍ଦେଶକଙ୍କୁ ଛତିଶଗଡ଼ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୁଲିସ ମହାନିର୍ଦ୍ଦେଶକ କୁଲଦୀପ ସିଂ ଛତିଶଗଡ଼ରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି।

ଏହି ଅପରେସନରେ ୫ ଶହ ସୁରକ୍ଷାକର୍ମୀ ନିୟୋଜିତ ଥିବା ପୁଲିସ କହିଛି। ଏବେ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଛି। ଏବେବି ୨୧ ଜଣ ଯବାନ ନିଖୋଜ ଥିବା ଛତିଶଗଡ ପୁଲିସ ପକ୍ଷରୁ ସୂଚନା ମିଳିଛି। ଛତିଶଗଡ଼ ପୁଲିସ ମହାନିର୍ଦ୍ଦେଶକ ଓ ନକ୍ସଲ ଦମନ ଅଭିଯାନର ସ୍ୱତନ୍ତ୍ର ପୁଲିସ ଅଧିକାରୀମାନେ ଘଟଣା ଉପରେ ନଜର ରଖିବା ସହ ପୁଲିସ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରଖିଥିବା ନକ୍ସଲ ଅପରେସନ ଡିଆଇଜି ପ୍ରେସମିଟରେ ସୂଚନା ଦେଇଛନ୍ତି।