ନୂଆଦିଲ୍ଲୀ,ଏଜେନ୍ସି: ଦେଶବାସୀଙ୍କୁ ପୁଣି ଡରାଇଛି କରୋନା ସଂକ୍ରମଣ। ସଂକ୍ରମଣର ଦ୍ୱିତୀୟ ଲହରୀ ଏବେ ଦ୍ରୁତ ଗତିରେ ମାଡି ଚାଲିଛି। ଆଜି ଗୋଟିଏ ଦିନରେ ୯୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରି ସ୍ଥିତିରେ ଦେଶରେ କରୋନା ସ୍ଥିତି ନେଇ ଏବେ ଏକ ଜରୁରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଦେଶରେ କରୋନା ବଢିବାରେ ଲାଗିଛି। ଖୁବଶୀଘ୍ର ଦୈନିକ ସଂକ୍ରମଣ ଲକ୍ଷେ ପାର ହେବାକୁ ଯାଉଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ସଂକ୍ରମଣ ଓ ଟିକାକରଣର ସ୍ଥିତି ଯାଞ୍ଚ କରିଛନ୍ତି। ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଡ. ବିନୋଦ ପଲ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯କୁ ବୃଦ୍ଧି ପାଇଛି। ସେହିପରି ସକ୍ରିୟ ସଂକ୍ରମିତ ମାମଲା ୬ ଲକ୍ଷ ୯୧ ହଜାର ୫୯୭ ଛୁଇଁଛି। ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩କୁ ବୃଦ୍ଧି ହୋଇଛି।