କାର୍ଗିଲ ବିଜୟକୁ ପୁରିଲା ୨୧ବର୍ଷ, ସହିଦଙ୍କୁ ମନେ ପକାଉଛି ସାରା ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ଆଜି ପାଳିତ ହେଉଛି କାର୍ଗିଲ ବିଜୟ ଦିବସ। ୨୧ ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀରର କାର୍ଗିଲ, ଦ୍ରାସ, ବାଟାଲିକ୍ ଶିଖରରେ ଭାରତର ବୀର ଯବାନ ମାନେ ନିଜ ଜୀବନକୁ ବଳିଦାନ ଦେଇ ଏହି ଶିଖରକୁ ସୁରକ୍ଷା ଦେଇଥିଲେ। ଏବଂ ଏହାକୁ ପାକିସ୍ତାନ ଦଖଲରୁ ମୁକ୍ତ କରିଥିଲେ। ଭାରତୀୟ ସେନାର ଏହି ଅଦମ୍ୟ ସାହସ ଏବଂ ବଳିଦାନକୁ ସ୍ମରଣ କରିବା ତଥା ଅଭିବାଦନ ଜଣାଇବା ପାଇଁ ଦେଶ ପ୍ରତିବର୍ଷ ୨୬ ଜୁଲାଇରେ କାର୍ଗିଲ ବିଜୟ ଦିବସ ପାଳନ କରୁଛି।

ଏହି ଅବସରରେ ଦିଲ୍ଲୀର ଯୁଦ୍ଧ ମେମୋରିଆଲରେ ପ୍ରତୀରକ୍ଷାମନ୍ତ୍ରୀ ରାଜନାଥ ସିଂ ପହଞ୍ଚି ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ସିଂ କହିଛନ୍ତି ଯେ ସହିଦ ଯବାନଙ୍କ ଏହି ବଳିଦାନକୁ ଦେଶ କେବେବି ଭୁଲି ପାରିବ ନାହିଁ। ମୁଁ ସେହି ଯବାନମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ସେମାନଙ୍କର ଅଦମ୍ୟ ସାହସ ସହିତ ଶତ୍ରୁକୁ କାର୍ଗିଲର ଅପହଞ୍ଚ ପାହାଡରୁ ତଡ଼ି ଦେଇଥିଲେ ଏବଂ ସେଠାରେ ପୁଣି ତ୍ରିରଙ୍ଗା ସ୍ଥାପନ କରିଥିଲେ। ମାତୃଭୂମିର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ଭାରତର ବୀରମାନଙ୍କ ପାଇଁ ଦେଶ ଗର୍ବିତ।

ସୂଚନା ଯୋଗ୍ୟ ଯେ, ୧୯୯୯ର ଶୀତର ସୁଯୋଗ ନେଇ ଜାମ୍ମୁ କାଶ୍ମୀରର କିଛି ପର୍ବତ ଶିଖରକୁ ପାକିସ୍ଥାନ ସେନା କାବୁ କରିଥିଲା। ଏପ୍ରିଲ୍ ଶେଷରେ ଏବଂ ମେ ମାସ ଆରମ୍ଭରେ ଯେତେବେଳେ ଏହି ଶିଖରରୁ ବରଫ ତରଳି ଗଲା, ସେତେବେଳେ ଭାରତ ସରକାର ପାକିସ୍ତାନର ଅନୁପ୍ରବେଶ ବିଷୟରେ ଜାଣିବାକୁ ପାଇଲେ। ମେ ୫ ରୁ ଜୁଲାଇ ୨୬ ପର୍ଯ୍ୟନ୍ତ, ଆମର ସୈନ୍ୟମାନେ ପାକିସ୍ତାନକୁ ସେଠାରୁ ବାହାର କରିବା ପାଇଁ ଲଢେଇ କରିଥିଲେ। ଏହି ଯୁଦ୍ଧରେ ଭାରତୀୟ ସେନାର ଅନେକ ଯବାନ ସହିଦ ହୋଇଥିଲେ। ତେଣୁ କାର୍ଗିଲ ବିଜୟ ଦିବସ ପ୍ରକୃତରେ ଭାରତର ଚମତ୍କାର ସାମରିକ ସେବା ପରମ୍ପରା, ଅଦମ୍ୟ ସାହସ ଏବଂ ବଳିଦାନର ଉତ୍ସବ ବୋଲି ଶ୍ରୀ ସିଂ କହିଛନ୍ତି।