ବୀର ଯବାନଙ୍କ ସମ୍ମାନାର୍ଥେ ୨ ହଜାର ୨୩ ଚାରାରୋପଣ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ଟିର୍ଲିଆମ୍ବାଗୁଡ଼ାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଜିଲ୍ଲା ସାମାଜିକ ସମୀକ୍ଷା ୟୁନିଟ, ଜିଲ୍ଲା ପରିଷଦ ନବରଙ୍ଗପୁର ତରଫରୁ ମେରା ମାଟି ମେରା ଦେଶ ତଥା ବୃକ୍ଷ ରୋପଣ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରା ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଯୋଗଦେଇ ବୀର ଯବାନଙ୍କ ବଳିଦାନ ନିକଟରେ ଆମେ ସମସ୍ତେ ଚିରଋଣୀ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ଯୋଗଦେଇ ଦେଶର କୃଷକ, ବୈଜ୍ଞାନିକ ଓ ଯବାନମାନେ ହିଁ ପ୍ରକୃତ ହିରୋ ତେଣୁ ଏମାନଙ୍କୁ ସମାଜ ପ୍ରକୃତ ସମ୍ମାନ ଦେବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥଲେ । ଅନ୍ୟତମ ଅତିଥି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଓ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧ ଲଢ଼ିଥିବା ତଥା ସେନାରୁ ଅବସର ନେଇଥିବା ୭ଜଣ ଯବାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ନବୀନ ଚନ୍ଦ୍ର ଭତ୍ରା, ଦୁର୍ଯ୍ୟୋଧନ ଭତ୍ରା, ରାଜେନ୍ଦ୍ର ନେଗି, ସଞ୍ଜୀବ ରାଜ ଖୁରା, ଯୋହନ ପିଲିନ ନାଗ, ବିଭୂତି ଭୂଷଣ ନାଗ ଓ ଦଶମୁ ଭତ୍ରା । ବୀରଯବାନମାନେ କାରଗିଲ ଯୁଦ୍ଧରେ ନିଜସ୍ୱ ଲୋମ ଟାଙ୍କୁରା ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ପରେ ସମସ୍ତ ଅତିଥିଙ୍କ ଦ୍ୱାରା ୧୫ଟି ଆମ୍ବ ଚାରା ବାଳକ ଛାତ୍ରାବାସ ପ୍ରାଙ୍ଗଣରେ ରୋପଣ କରାଯାଇଥିଲା । ସହକାରୀ ପ୍ରଫେସର ଡା. ଅରବିନ୍ଦ କୁମାର ଓଝାଙ୍କ ପରିଚାଳନାରେ କାର୍ଯ୍ୟକ୍ରମରେ ସୋନୁ ସାହୁ, ସନ୍ଧ୍ୟା ରାଣୀ ପାଢ଼ୀ, ଜିଭିଭି ରଞ୍ଜିତା, ଧନର ମାଝୀ, ଶ୍ରବଣ ପୂଜାରୀ, ସୁମନ୍ତ ବଘେଲ, ମୋନାଲିସା ନାଗ ଓ ସୁଲୋଚନା ନାୟକ ଆଦି ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ । ପରେ ଛାତ୍ରୀ ନିବାସ, ଛାତ୍ରାବାସ ତଥା ମହାବିଦ୍ୟାଳୟର ୪ ଦିଗରେ ବିଭିନ୍ନ ପ୍ରଜାତିର ଫଳ ଓ ଜଙ୍ଗଲି ଗଛର ସମୁଦାୟ ୨ହଜାର ୨୩ ଚାରାରୋପଣ କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ନବରଙ୍ଗପୁରର ୩୦ରୁ ଅଧିକ ଗ୍ରାମ୍ୟ ସାମାଜିକ ସମୀକ୍ଷା କର୍ମୀ, ଗ୍ରାମ ରୋଜଗାର ସେବକ, ବ୍ଲକ ସାମାଜିକ ସମୀକ୍ଷକ, ଜିଲ୍ଲା ସାମାଜିକ ସମୀକ୍ଷକ ଓ ବୈବସୁତ ଚଲାନ ସମୂହ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହଯୋଗରେ ଚାରା ରୋପଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଦେଇଥିଲେ ।