ନୂଆଦିଲ୍ଲୀ,ଏଜେନ୍ସି: ରେଳବାଇ ୨୦୨୩ ମସିହା ସୁଦ୍ଧା ସମସ୍ତ ବ୍ରଡଗେଜ୍ ରେଳଲାଇନ୍ଗୁଡ଼ିକୁ ସମ୍ପୂର୍ଣ୍ଣ ବିଦ୍ୟୁତିକରଣ କରିବାର ଯୋଜନା କରିଛି। ଏନେଇ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶତକଡ଼ା ୬୩ ଭାଗ ବ୍ରଡଗେଜ୍ ରେଳଲାଇନର ବିଦ୍ୟୁତିକରଣ କାର୍ଯ୍ୟ ଗତ ଏପ୍ରିଲ୍ ପହିଲା ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି। ସେ କହିଛନ୍ତି, ଆଉ ୨୩ ହଜାର ୭୬୫ କିଲୋମିଟର ରେଳଲାଇନର ବିଦ୍ୟୁତିକରଣ କାର୍ଯ୍ୟ ବାକି ରହିଛି।
ସେହିପରି ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଗୋଏଲ୍ କହିଛନ୍ତି, ରେଳବାଇର ଖାଲି ପଡ଼ିଥିବା ଜମିଗୁଡ଼ିକରେ ବ୍ୟବସାୟିକ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ଅନୁମତି ଦିଆଯିବ। ଏଥିରୁ ମିଳିବାକୁ ଥିବା ଅର୍ଥ ରେଳବାଇର ଉନ୍ନତି ଦିଗରେ ଖର୍ଚ୍ଚ କରାଯିବ। ସେ କହିଛନ୍ତି ରେଳବାଇର ଯେଉଁ ଜମିଗୁଡ଼ିକରେ ବର୍ତ୍ତମାନ କୌଣସି କାର୍ଯ୍ୟ କରିବାର ନାହିଁ, ସେହି ଜମିଗୁଡ଼ିକୁ ବ୍ୟବସାୟିକ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ।