ୱାଶିଂଟନ୍,ଏଜେନ୍ସି: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ନଭେମ୍ବରରେ ହେବାକୁ ଯାଉଥିଲା ବେଳେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ବିତର୍କକୁ ସରକାରୀ ଭାବେ ବାତିଲ କରାଯାଇଛି। ନିର୍ବାଚନ କମିଶନ ଭର୍ଚୁଆଲ ସମ୍ମିଳନୀରେ ଏହି ବିତର୍କ କରାଯିବ ବୋଲି ଘୋଷଣା କରିବାର ଦିନକ ପରେ ଏହାକୁ ବାତିଲ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଭର୍ଚୁଆଲ କନଫରେନ୍ସରେ ବିତର୍କ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ପ୍ରତ୍ୟେକ୍ଷ ବିତର୍କ ନହେଲେ ଭର୍ଚୁଆଲ ବିତର୍କରେ ସେ ଯୋଗ ଦେବେ ନାହିଁ ବୋଲି ଟ୍ରମ୍ପ ଘୋଷଣା କରିବା ପରେ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ନେଇଛନ୍ତି। ଉଲ୍ଲେଖଯୋଗ୍ୟ ପୂର୍ବରୁ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ପ୍ରତ୍ୟକ୍ଷ ବିତର୍କ ପାଇଁ ରାଜି ହୋଇନଥିଲେ। ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବିଡେନ୍ ଏଭଳି ନିଷ୍ପତ୍ତି ନେଇ ଭର୍ଚୁଆଲ ମାଧ୍ୟମରେ ବିତର୍କ କରାଯିବାକୁ ଚାହିଁଥିଲେ। ମାତ୍ର ଟ୍ରମ୍ପ ଏହାକୁ ଗ୍ରହଣ କଲେ ନାହିଁ। ଉଲ୍ଲେଖଯୋଗ୍ୟ କରୋନାରେ ସଂକ୍ରମିତ ହେବା ପରେ ଟ୍ରମ୍ପ ଆସନ୍ତା ସୋମବାର ଫ୍ଲୋରିଡାରେ ପ୍ରଥମ ର୍ୟାଲି କରିବାକୁ ଯାଉଛନ୍ତି।