ଗୁମାଗଡ଼,ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ପୋସ୍କୋ କୋର୍ଟର ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା ୫ ବର୍ଷ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ଜି. ଉଦୟଗିରି ଥାନା ଅଞ୍ଚଳର ଅନଙ୍ଗ ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ୨୦୨୦ ସେପ୍ଟେମ୍ବର ୨୨ରେ ନାବାଳିକା ଜଣଙ୍କ ନିଜ ଘର ବାହାରେ ସାଙ୍ଗମାନଙ୍କ ସହ ଖେଳୁଥିଲା । ଏହି ସମୟରେ ଅଭିଯୁକ୍ତ ଅନଙ୍ଗ ନାବାଳିକାକୁ ଘର ଭିତରକୁ ଟେକି ନେଇ ତା’ ସହ ଦୁଷ୍କର୍ମ କରିଥିଲା । ପରେ ଝିଅଟି ସେଠାରୁ କାନ୍ଦି କାନ୍ଦି ଘରକୁ ଆସି ମା’ଙ୍କ ପାଖରେ ସମ୍ପୂର୍ଣ୍ଣ ଘଟଣା କହିଥିଲା । ପିଡ଼ିତାଙ୍କ ମା’ ସେଦିନ ରାତି ୮ଟା ବେଳେ ଜି. ଉଦୟଗିରି ଥାନାରେ ପହଞ୍ଚି ଅଭିଯୁକ୍ତ ନାଁରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ଜି. ଉଦୟଗିରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ୧୫ଜଣ ସାକ୍ଷୀ ଓ ମେଡିକାଲ ରିପୋର୍ଟକୁ ଭିତ୍ତି କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।