ପାକ୍ ପରିଚାଳିତ ୨୦ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: ଫେକ୍ ନ୍ୟୁଜ ଓ ଦେଶ ବିରୋଧୀ ଖବର ପ୍ରସାରଣ କରୁଥିବା ପାକ୍ ପରିଚାଳିତ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଓ ୨ଟି ୱେସାଇଟକୁ ବ୍ଲକ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଟଲିଜେନ୍ସ ଏଜେନ୍ସି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ ଚ୍ୟାନେଲ କଶ୍ମୀର, ଭାରତୀୟ ସେନା, ଭାରତୀୟ ଅଳ୍ପସଂଖ୍ୟକ, ରାମ ମନ୍ଦିର ଓ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମ୍ବନ୍ଧରେ ଫେକ୍ ନ୍ୟୁଜ୍ ଦେଉଥିଲା। ସମ୍ପୃକ୍ତ ଚ୍ୟାନେଲ ଚାଷୀ ଆନ୍ଦୋଳନ ଓ ସିଏଏ ପ୍ରଦର୍ଶନ ଭଳି ପ୍ରସଙ୍ଗରେ କଣ୍ଟେଣ୍ଟ ପ୍ରସ୍ତୁତ କରି ଦେଶର ଅଳ୍ପସଂଖ୍ୟକଙ୍କୁ ସରକାରଙ୍କ ବିରୋଧରେ ଉସୁକାଉଥିଲା।

କେନ୍ଦ୍ରର କହିବା ମୁତାବକ, ଭାରତ ବିରୋଧୀ ଅପପ୍ରଚାର ପ୍ରସାରରେ ଏନପିଜି ଗ୍ରୁପ ସାମିଲ ରହିଛି। ଏହା ପାକିସ୍ତାନରୁ ପରିଚାଳିତ ହେଉଛି। ଏହି ଚ୍ୟାନେଲରେ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ସବସ୍କ୍ରାଇବର ରହିଛନ୍ତି। ଏମାନଙ୍କ ଭିଡିଓରେ ବର୍ତ୍ତମାନ ସୁଦ୍ଧା ୫୫ କୋଟିରୁ ଅଧିକ ଭ୍ୟୁଜ ଆସିସାରିଛି।