ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ କୋର୍ଟରେ ହାଜର

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣର ଚାର୍ଜଫ୍ରେମ ପାଇଁ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଆଜି ପାଟଣାଗଡ଼ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରାଜର୍ଜଙ୍କ ଅଦାଲତରେ ହାଜର କରାଯାଇଛି। ତେବେ ଏହାକୁ ଆଭାସୀ ମାଧ୍ୟମରେ ରଖାଯିବାକୁ ଉଚ୍ଚ ନ୍ୟାୟଳୟ ଆଦେଶ ଦେଇଥିବା ଦର୍ଶାଇ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ସ୍ଥାନୀୟ ଅଦାଲତରେ ଏକ ଆବେଦନ ପତ୍ର ଦାଖଲ କରିଥିଲେ। ଅନ୍ୟପଟେ ଉକ୍ତ ଆବେଦନକୁ ଅଗ୍ରାହ୍ୟ ଏବଂ ଖାରଜ କରାଯିବାକୁ ନିବେଦନ କରିବା ସହ ଆରୋପୀ ଭିତ୍ତିହୀନ ଭାବେ କାଳକ୍ଷେପନ ନୀତି ଅବଲମ୍ବନ ନକରିବାକୁ ସରକାରୀ ଓକିଲ ଆଶିଷ ଚନ୍ଦନ ଅଦାଲତକୁ ଅନୁରୋଧ କରିଛନ୍ତି। ଆଗାମୀ ୧୩ ତାରିଖରେ ଏହାର ଶୁଣାଣି କରିବାକୁ ଅଦାଲତ ଦିନ ଧାର୍ଯ୍ୟ କରିଥିବା ସରକାରୀ ଓକିଲ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ୨୨ରେ ପାର୍ସଲ ବୋମା ବିସ୍ଫୋରଣରେ ସ୍ଥାନୀୟ ବ୍ରହ୍ମପୁରା ଛକରେ ରହୁଥିବା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଓ ତାଙ୍କ ସର୍ମ୍ପକୀୟ ଜେଜେମା’ଙ୍କ ମୃତ୍ୟୁ ହୋଇଥିବାବେଳେ ନବବଧୂ ରୀମା ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ। ପରେ ରିମା ସମ୍ପୂର୍ଣ୍ଣ ଠିକ ହେବା ପରେ ପାଟଣାଗଡ଼ରେ ରହୁଛନ୍ତି।