ଆନ୍ଧ୍ରକୁ ଚାଲାଣ ବେଳେ ୨୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ସଦରରେ ଶିଶୁ ଶ୍ରମିକଙ୍କୁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ବେଳେ ଚାଇଲ୍ଡଲାଇନ ସେମାନଙ୍କୁ ଉଦ୍ଧାର କରିଛି। କୌଣସି ସୂତ୍ରରୁ ଖବରପାଇ ଚାଇଲ୍ଡଲାଇନ ଓ ରାମନାଗୁଡା ପୁଲିସ ପହଞ୍ଚି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଶିଶୁ ଶ୍ରମିକମାନେ ବଙ୍ଗାଳିଗୁଡା, ପୁରଟିଗୁଡା, ପାରିଖିତି ଗ୍ରାମର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଏହି ୨୦ ଶିଶୁ ଶ୍ରମିକଙ୍କୁ ଆନ୍ଧ୍ରର କୁରୁଫାମକୁ ଚାଲାଣ କରାଯାଉଥିଲା। ଏନେଇ ଚାଇଲ୍ଡଲାଇନ ସଦସ୍ୟ ଦୁର୍ଗାପ୍ରସାଦ ସେନାପତି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ଶିଶୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସେହିପରି ଚାଇଲ୍ଡଲାଇନ ଓ ପୁଲିସକୁ ଦେଖି ଦଲାଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।