ଫୁଲବାଣୀ,ଫିରିଙ୍ଗିଆ, ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ହାତରେ ଧରାପଡିଛି ଏକ ବାଇକ୍ ଚୋରି ରାକେଟ୍। ବୁଧବାର ଗଞ୍ଜେଇ ଚୋରା ଚାଳାଣ କାରି ମାନଙ୍କୁ ଧରିବା ପାଇଁ ପୁଲିସ ମାଶ୍ରୀପଡ଼ା ଛକରେ ତନଖୀ ଆରମ୍ଭ କରିଥିବା ବେଳେ ଗଞ୍ଜେଇ ଚୋରା ରାକେଟ୍ ବଦଳରେ ଧରାପଡ଼ିଛି ଏକ ବାଇକ୍ ଚୋରା ରାକେଟ୍। ଏହି ରାକେଟର ୬ ସଦସ୍ୟଙ୍କୁ ଗିରଫ କରିବା ସହ ୨୦ଟି ବାଇକ୍ ଜବତ କରିଛି ପୁଲିସ। ସୂଚନା ଅନୁଯାୟୀ ବୁଧବାର ଫିରିଙ୍ଗିଆ ଥାନାଧିକାରୀ ପି ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ପୁଲିସ ମାଶ୍ରିପଡା ଛକରେ ମୋଟର ଯାନ ଯାଞ୍ଚ କରୁଥିଲେ।
ଏହି ସମୟରେ ବନ୍ଧଗଡ଼ ଚଢେଇପଲି ଗ୍ରାମର ସନ୍ତୋଷ କୁମାର ମାଝୀ ନାମକ ଜଣେ ଯୁବକ ଏକ ନମ୍ବର ବିହୀନ ହିରୋ ଗ୍ଲାମର ବାଇକରେ ଆସୁଥିବା ବେଳେ ପୁଲିସ୍ ହାତରେ ଧରାପଡିଥିଲେ। ସେ କାଗଜପତ୍ର ଦେଖାଇ ନପାରିବାରୁ ପୁଲିସର ସନ୍ଦେହ ହୋଇଥିଲା। ତାଙ୍କୁ ଜେରା କରିବାରେ ପୁଲିସ୍ କୁ ଏକ ରାକେଟ୍ ଚାଲିଥିବା ସୂଚନା ମିଳିଥିଲା। ସେହି ସୂଚନାକୁ ଆଧାର କରି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ୬ ଜଣ ଅଭିଯୁକ୍ତଙ୍କୁ ଧରିବା ସହ ମୋଟ ୨୦ଟି ଚୋରା ବାଇକ୍ ଜବତ କରିଥିଲା। ଉଦ୍ଧାର ବାଇକ୍ ମଧ୍ୟରେ ହିରୋ କମ୍ପାନୀର ବିଭିନ୍ନ ମୋଡେଲର ୬ଟି, ଆପାଚି ୪ଟି, ହଣ୍ଡା କମ୍ପାନୀର ବିଭିନ୍ନ ମୋଡେଲର ୪ଟି, ବଜାଜ୍ କମ୍ପାନୀର ୨ଟି, ପଲସର ୪ଟି ବାଇକ୍ ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ ସନ୍ତୋଷ କୁମାର ମାଝୀ , ଲିଟୁ ଦିଗାଲ , ଅନନ୍ତ ଦେହୁରୀ , ଅଙ୍ଗୁର ଦିଗାଲ , ବିଳାସ କହଁର , ଅଭିମନ୍ୟୁ କହଁର । ଏନେଇ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି।