୨ଟି ଟ୍ରକ୍ ମୁହାଁମୁହିଁ : ୨ ଡ୍ରାଇଭର ମୃତ

କୋରାପୁଟ,ଏନ୍ଏନ୍ଏସ୍ : ୨୬ ନଂ ଜାତୀୟ ରାଜପଥ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସିପାହୀପୁଟ ନିକଟରେ ଆଜି ଭୋରରେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଲେ ପଟ୍ଟାଙ୍ଗି ବ୍ଲକ୍ ଚନ୍ଦକା ପଂଚାୟତ ବାରଜ ଗ୍ରାମର ରାଜେଶ ପଡ଼ାଲ(୩୨) ଓ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ବେତବେଡ଼ା ପଂଚାୟତ ଗ୍ରାମର କିଷାନ୍ ସାହା।

ମିଳିଥିବା ରିପୋର୍ଟ ମୁତାବିକ, ପଟ୍ଟାଙ୍ଗି ଥାନା ଆମ୍ପାବାଲି ସିମେଣ୍ଟ କାରଖାନାରୁ ସିମେଣ୍ଟ ନେଇ ଓଡି-୧୦ଜି ୭୬୨୯ ନମ୍ବର ଟ୍ରକ ଆଜି ଭୋରରେ ଜୟପୁର ଯାଉଥିଲା। ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଠିକ୍ ଭାବେ ଦିଶୁନଥିବାବେଳେ ସିପାହୀପୁଟ ନିକଟରେ ବିଶାଖାପାଟଣା ଯାଉଥିବା ସିଜି-୦୪ଏଚ୍ ୱାଇ ୭୨୧୧ ନମ୍ବର ଟ୍ରକ୍ ସହ ସାମ୍ନା ପଟୁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ, ବହୁ କଷ୍ଟରେ ଉଭୟ ଟ୍ରକରୁ ୨ଜଣ ଡ୍ରାଇଭରଙ୍କୁ ବାହାର କରିଥିଲେ ମଧ୍ୟ ସିମେଣ୍ଟ ବୋଝେଇ ଟ୍ରକ୍ ଚାଳକ ରାଜେଶ୍ ପଡ଼ାଲର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଷ୍ଟିଅରିଂରେ ଚାପି ହୋଇ ରହିଥିବା ବିଶାଖାପାଟଣା ଯାଉଥିବା ଟ୍ରକର ଡ୍ରାଇଭର କିଷାନ୍ ସାହାଙ୍କୁ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ବହୁ କଷ୍ଟରେ ବାହାରକୁ ଆଣି ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜକୁ ନେଉଥିବାବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା। ମୃତ ରାଜେଶ ପଡ଼ାଲର ପରିବାରକୁ ଚନ୍ଦକା ସରପଞ୍ଚ ପ୍ରଦୀପ ଫୁଲ, ଜିଲ୍ଲା ପରିଷଦ ସଦସ୍ୟ ଲଇଛନ୍ ଖରା ଓ ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଓ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ପଟ୍ଟାଙ୍ଗି ଥାନାଧିକାରୀ ବିଜୟ ରାଜ ମାଝୀ, ଏଏସଆଇ ସୁବାସ ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।