ଦେଶରେ ୨୪ ଘଣ୍ଟାରେ ୨ ହଜାରରୁ ଅଧିକ ଜୀବନ ନେଲା କରୋନା ଭାଇରସ, ପ୍ରାୟ ୧୧ ହଜାର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଦିନକୁ ଦିନ କରୋନା ସ୍ଥିତି ସଂଘାତିକ ହେଉଛି। ଦେଶରେ ଉଦବେଗଜନକ ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କିଛି ଦିନ ହେବ କ୍ରମାଗତ ପ୍ରତିଦିନ ଦେଶରେ ୧୦ରୁ ୧୧ ହଜାର ପର୍ଯ୍ୟନ୍ତ ନୂଆ ଆକ୍ରାନ୍ତ ମାମଲା ସାମ୍ନାକୁ ଆସୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ କରୋନା ୨୦୦୩ ମୁଣ୍ଡ ନେଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ ହଜାର ଛୁଇଁବାକୁ ବସିଛି। ସେହିପରି ବିଶ୍ୱର ୨୧୩ ଦେଶକୁ ବ୍ୟାପିଛି କରୋନା। ସବୁଆଡେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଗତ ୨୪ ଘଣ୍ଟାରେ ୧୦ ହଜାର ୯୭୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହିତ ୨୦୦୩ ଜଣ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩ ଲକ୍ଷ ୫୪ ହଜାର ୫୬ରେ ପହଞ୍ଚିଛି। ଏଥିରୁ ୧୧ ହଜାର ୯୦୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧ଲକ୍ଷ ୮୬ ହଜାର ୯୩୫ ଜଣ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୫୫ ହଜାର ୨୨୭ ଲୋକେ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୧୩ ହଜାର ରୁ ଅଧିକ ଜଣ ସଂକ୍ରମିତ ଥିବା ବେଳେ ୫ ହଜାର ଟପିଲା ହେଲାଣି ମୃତ୍ୟୁ ସଂଖ୍ୟା।