ଭିନ୍ନକ୍ଷମ ସ୍କୁଲର ୨ ଛାତ୍ରଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ, ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଡକ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟର ୨ ଜଣ ଛାତ୍ର ଗୁଜୁରାଟର ଗାନ୍ଧୀନଗରରେ ସ୍ପେଶାଲ ଅଲମ୍ପିକ ଭାରତ ଦ୍ଵାରା ଆୟୋଜିତ ଜାତୀୟ ଚୟନ ଶିବିରରେ ଯୋଗଦେଇ କୃତିତ୍ବ ଅର୍ଜନ କରିଛନ୍ତି। ୨୦୨୩ ଜୁନରେ ଜର୍ମାନୀର ବର୍ଲିନ ସହରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଲିମ୍ପିକ ବିଶ୍ୱ କ୍ରୀଡା ପ୍ରତିଯୋଗିତା ନିମନ୍ତେ ସେମାନେ ଓଡ଼ିଶାରୁ ଯୋଗ୍ୟ ବିବେଚିତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ପ୍ରଶିକ୍ଷକ ଉମାକାନ୍ତ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ଏହି ୨ ଜଣ ଉଦୀୟମାନ କ୍ରୀଡ଼ାବିତ ବୈଷ୍ଣବ କନିଷ୍ଠ ବର୍ଗରେ ୧୦୦ ମିଟର ଦୌଡ଼, ୨୦୦ ମିଟର ଦୌଡ଼, ୪୦୦ ମିଟର ରିଲେ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଖିଲେଶ କନିଷ୍ଠ ଶକ୍ତି ଉତ୍ତୋଳନ ୨୯୦ ଓଜନ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ତେବେ ସଇଁନ୍ତଲା ବ୍ଲକ ଟିକ୍ରାପଡ଼ାର ଭୁବନ ରାଜପଲିଆଙ୍କ ପୁଅ ବୈଷ୍ଣବ ରାଜପଲିଆ(୧୬) ସଇଁନ୍ତଲା ରେଡ଼କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟର ପ୍ରିଭୁକେସନାଲ ପାଠ ପଢୁଛନ୍ତି। ଟିଟିଲାଗଡ଼ କଟିଆପଡ଼ା ନିବାସୀ ସୋମନାଥ ସାହୁଙ୍କ ପୁଅ ଅଖିଲେସ ସାହୁ (୧୮)। ଦୁହିଁଙ୍କୁ ସଇଁନ୍ତଲା ବିଡିଓ ଚନ୍ଦ୍ରମଣୀ ନାଗ ସମ୍ମାନିତ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସାମ୍ବାଦିକ ଦେବେନ୍ଦ୍ର ଯୋଶୀ, ତରୁଣ ବେହେରା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।