୪ର୍ଥ ଆଇଆରବି ବାଟାଲିୟନ ଯବାନ କରୋନା ପଜିଟିଭ ୨ ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ୍ ଅନ୍ତର୍ଗତ ବଂପରଡା ପଞ୍ଚାୟତରେ ଥିବା ୪ର୍ଥ ଆଇଆରବି ବାଟାଲିୟନର ୩ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଡଅଁରା ପଞ୍ଚାୟତର ସରପଞ୍ଚ ହରିହର ସାହୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୨ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି। ସେହିପରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତରେ ଥିବା ସମସ୍ତ ଚା’ ଦୋକାନ, ପାନ ଦୋକାନ ଓ ସାପ୍ତାହିକ ହାଟକୁ ବନ୍ଦ ଘୋଷଣା କରାଯାଇଛି। ଅନୁରୂପ ଭାବେ ରିଆମାଳ ବ୍ଲକ କରଲଗା ପଞ୍ଚାୟତ ସରପଞ୍ଚ ଗିନି ରାଉତ ମଧ୍ୟ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଆଜି ସନ୍ଧ୍ୟ ୫ ଟାରୁ ଆସନ୍ତ ୧୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ କରଲଗା ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି।

ସେହିପରି ନିକଟସ୍ଥ ଖଇରପାଲି ସାପ୍ତହିକ ହାଟକୁ ୩ ସପ୍ତାହ ପାଇଁ ବନ୍ଦ କରାଯିବା ନେଇ ଘୋଷଣା କରିଛନ୍ତି। ୪ର୍ଥ ଆଇଆରବି ବାଟାଲିୟନର ଜବାନମାନେ ଡଅଁରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଘର ଭଡା ନେଇ ରହୁଥିବାବେଳେ ଯବାନମାନେ ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ପାଇଁ ଗ୍ରାମ ମଧ୍ୟରେ ଥିବା ଦୋକାନ ଆଦିକୁ ଆସୁଥିଲେ। ସେହିପରି ଜଣେ କରୋନା ପଜିଟିଭ ଯବାନ କରଲଗା ପଞ୍ଚାୟତ ଅନ୍ତର୍ଗତ ମନୋହରପୁରପଡ଼ା ସ୍ଥିତ ନିଜ ବାସଭବନରେ ରହୁଥିବାବେଳେ ସେଠାକାର କେତେକ ବ୍ୟକ୍ତିଙ୍କ ସହ ମିଳାମିଶା କରିଥିଲେ। ଫଳରେ ସର୍ବସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରୁ ରଖି ୨ ପଞ୍ଚାୟତର ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟଡାଉନ ଘୋଷଣା କରିଛନ୍ତି।