ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ

ମାଲକାନଗିରି,ଏନ୍ଏନ୍ଏସ୍: ଗୁରୁପିୟା ସେତୁ ହେବା ପରେ ସ୍ୱାଭିମାନ ଅଞ୍ଚଳ ଧୀରେ ଧୀରେ ମାଓ ମୁକ୍ତ ହେବାରେ ଲାଗିଛ। ଶନିବାର ବିଳମ୍ବିତ ରାତିରେ ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏନେଇ ପୁଲିସ ସେବା ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଅଭୟ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ସ୍ୱାଭିମାନ ଅଞ୍ଚଳର ସିଙ୍ଗରାମ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି ପକ୍ଷରୁ ସର୍ଚ୍ଚ ଚାଲିଥିଲା। ଏତିକିବେଳେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ସେଠାରୁ ମାଓବାଦୀମାନେ ପଳାୟନ କରିଥିଲେ। ହେଲେ ଗୁଳି ବିନିମୟ ବେଳେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ଭିତରେ ଜଣେ ପୁରୁଷ ଓ ଜଣେ ମହିଳା ମାଓ କ୍ୟାଡର ବୋଲି ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ଜଣେ ମାଓବାଦୀର ପରିଚୟ ମିଳିଛି। ସେମାନଙ୍କର ଡ୍ରେସ୍ କୋଡ୍ରୁ ଜଣାପଡୁଛି ଯେ ସେମାନେ ଉଚ୍ଚ ର୍ୟାଙ୍କର ମାଓବାଦୀ। ଘଟଣାସ୍ଥଳରୁ କେତେକ ରାଇଫଲ୍ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ସ୍ୱାଭିମାନ ଅଞ୍ଚଳକୁ ମାଓ ମୁକ୍ତ କରିବା ପାଇଁ ସଙ୍କଳ୍ପ ନିଆଯାଇଛି। ଏହା ସହିତ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ପୁଲିସ ମହାନିର୍ଦ୍ଦେଶକ ପୁଣି ଥରେ ଆହ୍ୱାନ ଦେଇଛନ୍ତି।
ବିଶେଷ ସୂତ୍ରରୁ ଖବରପାଇ ଗତ ଶନିବାର ବିଳମ୍ବିତ ରାତିରେ ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଯୋଡମ୍ବ ଥାନା ଗଜଲ୍ ମାମୁଡି ପଞ୍ଚାୟତର ସିଙ୍ଗରାମ୍ ଓ ତେନ୍ତପାଲି ଅଞ୍ଚଳରେ ଏସ୍ଓଜି ଟିମ୍ ପକ୍ଷରୁ ପାଟ୍ରୋଲିଙ୍ଗ୍ ଓ କ୍ଷେତ୍ର ପ୍ରାଧାନ୍ୟ ଅଭ୍ୟାସ କରାଯାଇଥିଲା। ରବିବାର ଭୋର୍ ପ୍ରାୟ ୩ଟା ୩୦ରୁ ୪ଟା ମଧ୍ୟରେ ମାଓବାଦୀମାନେ ଏସ୍ଓଜିଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାସହ ପାଟ୍ରୋଲିଂ ଦଳ ଉପରକୁ ଗ୍ରିନେଡ୍ ପିଙ୍ଗି ଦେଇଥିଲେ। ସଙ୍ଗେ ସଙ୍ଗେ ଏସ୍ଓଜି ପକ୍ଷରୁ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ମାତ୍ର ନିଜକୁ ବଞ୍ଚାଇବାକୁ ଯାଇ ଦଳ ପକ୍ଷରୁ ଆତ୍ମରକ୍ଷା ଉଦେ୍ଧଶ୍ୟରେ ପାଲଟା ଗୁଳି ଚାଳନା କରାଯାଇଥିଲା। ତେବେ ଘଞ୍ଚ ଜଙ୍ଗଲ ଏବଂ କଷ୍ଟସାଧ୍ୟ ଅଞ୍ଚଳର ସୁଯୋଗ ନେଇ ମାଓବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏହାପରେ ସେହି ଅଞ୍ଚଳକୁ ସର୍ଚ୍ଚ କରିବାରୁ ସଶସ୍ତ୍ର ମାଓବାଦୀଙ୍କ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ପୁରୁଷ ମାଓବାଦୀ ଏସିଏମ୍ ପାହ୍ୟାର ବୋଲି ଜଣାପଡିଛି। ମୃତ ମହିଳା ମାଓବାଦୀ ବ୍ୟବହାର କରୁଥିବା ଅସ୍ତ୍ରରୁ ଜଣାପଡିଥିଲା ଯେ ସେ ମଧ୍ୟ ଜଣେ ଗୁରୁତ୍ୱପୂର୍ଣ୍ଣ କର୍ମକର୍ତ୍ତା ଅଟନ୍ତି। ଘଟଣାସ୍ଥଳରୁ ଗୋଟେ ଆଇଏନ୍ଏସ୍ଏଏସ୍ ରାଇଫଲ୍, ଗୋଟେ ଏସ୍ଏଲ୍ଆର ରାଇଫଲ୍, ଗୁଳିଗୁଳା, ମାଓବାଦୀ କିଟ୍ ବ୍ୟାଗ୍ ଏବଂ ଅନ୍ୟାନ୍ୟ ଅପରାଧି ସାମଗ୍ରୀ ଜବତ କରାଯାଇଛି। ସମସ୍ତ ଏସ୍ଓଜି ଦଳ ସୁରକ୍ଷିତ ଥିବାବେଳେ, ସେହି ଅଞ୍ଚଳରେ କମ୍ବିଂ ଓ ତଲାସୀ କାର୍ଯ୍ୟକୁ ଜୋରଦାର କରାଯାଇଛି ବୋଲି ଡିଜିପି ଶ୍ରୀ ଅଭୟ ସୂଚନା ଦେଇଛନ୍ତି।