ମାଲକାନଗିରିରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୨ ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ ଓ ସେ ମହାରାଷ୍ଟ୍ର ଫେରନ୍ତା ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ଅନ୍ୟ ଜଣେ ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦର ବୋଲି ଜଣାପଡ଼ିଛି। ସେ ୧୦ ଦିନ ତଳେ ଭୁବନେଶ୍ୱରସ୍ଥିତ ଏମ୍ସକୁ ଚିକିତ୍ସା ପାଇଁ ଯାଇ ଫେରିଥିବାରୁ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ତେବେ ସୋମନାଥପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪,୫୪୨ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ୪,୩୪୭ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୫୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ଓ ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୨୭ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।