ସଟସର୍କିଟ ଯୋଗୁ ଜଳିଗଲା ୨ ପରିବାରର ୫ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ପଞ୍ଚାୟତର ତ୍ରିନାଥ ତାଣ୍ଡିଙ୍କ ଘରେ ସଟସର୍କିଟ ହୋଇ ୨ ବଖରା ସମ୍ପୂର୍ଣ ଭାବରେ ପୋଡ଼ି ପାଉଁଶ ହେଇଯାଇଛି । ତ୍ରିନାଥ ତାଣ୍ଡିଙ୍କ ସ୍ତ୍ରୀ ଅଙ୍ଗନବାଡି କର୍ମୀ ଥିବାବେଳେ ତାଙ୍କର ସବୁ କାଗଜପତ୍ର ସହ ଆସବାବପତ୍ର, ସୁନାରୂପା, ନଗଦ ୩୭ ହଜାର ଟଙ୍କା ଓ ଚାଉଳ ଧାନ ସବୁ ଜଳିଯାଇଛି । ସେହିପରି ତ୍ରିନାଥ ତାଣ୍ଡିଙ୍କ ଘରକୁ ଲାଗିଥିବା ଆଉ ଜଣେ ପରିବାର ବୃନ୍ଦା ତାଣ୍ଡିଙ୍କ ଘର ମଧ୍ୟ ସମାନ ଅବସ୍ଥା ହୋଇଛି । ତାଙ୍କ ଘରେ ଥିବା ଧାନ ଚାଉଳ, ସୁନାରୂପା ଓ ନଗଦ ୫୦ ହଜାର ଟଙ୍କା ମଧ୍ୟ ଜଳିଯାଇଥିବା ପରିବାର ଲୋକେ କହିଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ସମୟ ପ୍ରାୟ ୭ଟା ୪୦ ମିନିଟରେ ତ୍ରିନାଥ ତାଣ୍ଡିଙ୍କ ପରିବାରର ସମସ୍ତେ ଖାଉଥିବାବେଳେ ହଠାତ ଘରର ମେନ ସ୍ୱିଚରେ ନିଆଁ ଲାଗି ଯାଇଥିଲା । ଫଳରେ ପରିବାର ଲୋକେ ଚିତ୍କାର କରିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ନିଆଁକୁ ଲିଭେଇବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ତାହା ଏତେ ଭୟଙ୍କର ଥିଲା ଯେ ଗ୍ରାମବାସୀ ଆୟତ୍ତ କରିପାରିନଥିଲେ । ପରେ ଅଗ୍ନିଶମ ବିଭାଗକୁ ଜଣେଇବାରୁ ସେମାନେ ଆସି ନିଆଁକୁ ଆୟତ୍ତ କରିଥିଲେ । ଅନ୍ୟପଟେ ଅଗ୍ନିଶମ ବିଭାଗ ମଧ୍ୟ ବିଳମ୍ବରେ ପହଁଚିଥିବା ନେଇ ପରିବାର ଲୋକେ ମତପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ କରି ୨ ପରିବାରକୁ ସହାୟତା ପ୍ରଦାନ କରିବାକୁ ନୂଆପଡ଼ା ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରାଯାଇଛି ।