ଟ୍ରେଲର ପଛରେ ପିଟି ହେଲା ସ୍କର୍ପିଓ: ୨ ମୃତ

ସୋର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ଟ୍ରେଲର ପଛରେ ଏକ ସ୍କର୍ପିଓ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ପଶ୍ଚିମବଙ୍ଗର ସେକ୍ ମୁର୍ତ୍ତାଜା ଓ ଜମାଲ୍ ଶାହା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ପଶ୍ଚିମବଙ୍ଗର ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କାରରେ ୨ ଜଣ ରୋଗୀ ଓ ତାଙ୍କ ସମ୍ପର୍କୀୟ କଟକ ବଡ଼ ମେଡିକାଲକୁ ଆସୁଥିଲେ। ଏହି ସମୟରେ ସୋର କଲେଜ୍ ଛକ ନିକଟରେ ସ୍କର୍ପିଓ କାରଟି ଏକ ଚଳନ୍ତା ଟ୍ରେଲର ପଛରେ ପିଟି ହୋଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ସୋର ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ସ୍କର୍ପିଓ କାରର ଚାଳକକୁ ଥାନାକୁ ଆଣି ଅଟକ ରଖିଛି। ସେହିପରି ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୨ ଜଣଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।