ସଡ଼କ ଦୁର୍ଘଟଣାରେ ୨ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ଧାରଣା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଏଚପି ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଖୀରେଇଟାଙ୍ଗିରି ଗ୍ରାମର ଗୋପାଳ ଚନ୍ଦ୍ର ମହାନ୍ତ ଓ ଦିଲ୍ଲୀପ କୁମାର ମହାନ୍ତ। ସେଥିପାଇଁ ଉଭୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବିରେ ପରିବାର ଲୋକେ ଖିରେଇଟାଙ୍ଗିରୀସ୍ଥିତ ମୋଣ୍ଟେକାର୍ଲୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ମିଳିଥିବା ରିପୋର୍ଟ ମୁତାବିକ, ୪୯ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ମୋଣ୍ଟେକାର୍ଲୋ ନାମକ ଏକ କମ୍ପାନୀ କରୁଛି। ଉକ୍ତ କମ୍ପାନୀରେ ଗୋପାଳ ଓ ଦିଲ୍ଲୀପ ଡ୍ରାଇଭର ଭାବରେ ନିୟୋଜିତ ଥିଲେ। ରବିବାର ବିଳମ୍ବିତ ରାତିରେ ଖୀରେଇଟାଙ୍ଗିରିରୁ ଚଢ଼େଇଭୋଳକୁ ବୋଲେରୋ କ୍ୟାମ୍ପରରେ ଯାଉଥିବା ବେଳେ ଏକ ଟ୍ରକ ପଛରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମେଡିକାଲ ନେବା ବାଟରେ ଆଉ ଜଣଙ୍କଣ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ଉଭୟଙ୍କୁ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ଳୋକେ ଧାରଣାରେ ବସିଛନ୍ତି।