ନବରଙ୍ଗପୁର,ଏନ୍ଏନ୍ଏସ୍: ଭେଙ୍କେଟ ସାଇ କାଜୁ ଇଣ୍ଡଷ୍ଟ୍ରିରୁ କାଜୁ ଚୋରି କରିବା ଅଭିଯୋଗରେ ୨କାଜୁ ଚୋରକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପ୍ରହ୍ଲାଦ ହରିଜନ(୨୬) ଓ ନରହରି ଭତରା (୨୫) । ସେମାନଙ୍କଠାରୁ ୧କୁଇଣ୍ଟାଲ ୫ କିଗ୍ରା କାଜୁ, ନଗଦ ୧ଲକ୍ଷ ୬ହଜାର ଟଙ୍କା ଓ ଚୋରିରେ ବ୍ୟବହୃତ ଏକ ଅଟୋ ରିକ୍ସାକୁ ପୁଲିସ ଜବତ କରିଛି। ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତ ପ୍ରହ୍ଲାଦ ଉକ୍ତ କାଜୁ ଇଣ୍ଡଷ୍ଟ୍ରିରେ ୨୦୧୭ରୁ ୨୦୨୨ପର୍ଯ୍ୟନ୍ତ କାମ କରୁଥିଲା। ମାଲିକ ଭେଙ୍କଟ ରାଓ ତାକୁ ଗତ ଡିସେମ୍ବର ମାସରେ ବାହର କରିଦେଇଥିଲେ । ଗତ ଫେବୃଆରୀ ୧୮ ତାରିଖରେ ପ୍ରହ୍ଲାଦ ଓ ନରହରି ଯୋଜନା ବଦ୍ଧଭାବେ ସେହି ଇଣ୍ଡଷ୍ଟ୍ରିରୁ ଚୋରି କରିଥିଲେ । ପ୍ରଥମେ ପ୍ରହ୍ଲାଦ ମୁଖ୍ୟ ଫାଟକର ତାଲା ଭାଙ୍ଗି ସିସିଟିଭି ତାର ସଂଯୋଗ ବିଚ୍ଛିନ୍ନ କରି ୭ ଜରି ବ୍ୟାଗ କାଜୁ ଓ ୧୦ ଟିଣା କାଜୁ ଚୋରି କରିଥିଲା । ପ୍ରହ୍ଲାଦ ୪କୁଇଣ୍ଟାଲ ୫୦ କିଗ୍ରା କାଜୁ କଲିକତାରୁ ଜଣେ ବ୍ୟବସାୟୀଙ୍କୁ ବିକି ୨ଲକ୍ଷ ୬୦ ହଜାର ଟଙ୍କା ଆଣିଥିଲା, ୩୦ହଜାର ଟଙ୍କା ନରହରିକୁ ଦେଇଥିଲା ଓ ନିଜେ ୩୪ ହଜାର ଟଙ୍କା ଖର୍ଚ୍ଚ କରିଥିଲା । ଅବଶିଷ୍ଟ ୧ଲକ୍ଷ ୬ ହଜାର ଟଙ୍କା ପାଖରେ ରଖିଥିଲା ଯାହାକୁ ପୁଲିସ ଜବତ କରିଛି ବୋଲି ଏଡିପିଓ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।