ବସ୍ ଧକ୍କାରେ ୨ ଯୁବକ ମୃତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଘରୋଇ ବସ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଦ୍ୱୟ ହେଲେ ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମର ଅସିତ ମେହେର ଏବଂ ତୁଷୁରାର ମଳୟ ମନହୀରା । ମିଳିଥିବା ରିପୋର୍ଟ ମୁତାବକ, ଅସିତ ଓ ମଳୟ ପାଟଣାଗଡ଼ରେ ଥିବା ତାଙ୍କ ସମ୍ପର୍କୀୟଙ୍କ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଏକ ବାଇକରେ ଯାଉଥିଲେ । ଏହି ସମୟରେ ଜୟ ମାତାଦୀ ନାମକ ଏକ ବସ ବିପରୀତ ଦିଗରୁ ପାଟଣାଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଆଉ ରାମପୁର ପେଟ୍ରୋଲ ପମ୍ପ ନିକଟରେ ବସ ଓ ବାଇକ ମଧ୍ୟରେ ମୁହାଁମୁହଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀ ଦ୍ୱୟଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପଟଣାଗଡ଼ ଥାନାଧିକାରୀ ଅନନ୍ତ ପ୍ରଧାନ ଓ ଏସଆଇ ବ୍ରଜକିଶୋର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ । ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ପାଟଣାଗଡ଼ ଥାନାରେ ରଖାଯାଇଥିବାବେଳେ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଭୁବନେଶ୍ୱର ପଠାଯାଇଥିବା ଜଣାପଡ଼ିଛି ।