ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼-ଘସିଏନ ରାସ୍ତାରେ ସହରଠାରୁ ପ୍ରାୟ ୪କିମି ଦୂର ବରପଦର ନିକଟସ୍ଥ ଏକ କୁକୁଡ଼ା ଫାର୍ମ ନିକଟରେ ୨ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ଚକାମାଲ ଗ୍ରାମର କେଶବ ବିଶି(୨୩) ।
ମିଳିଥିବା ରିପୋର୍ଟ ମୁତାବକ, କେଶବ ବଣଭୋଜି ସାରି ବାଇକ ଯୋଗେ ପାଟଣାଗଡ଼ ଅଭିମୁଖେ ଫେରୁଥିଲେ । ଅନ୍ୟପଟେ ଦିନ ମଜୁରିଆ ଭାବେ କାମ କରୁଥିବା କୁତମୁଣ୍ଡା ଗ୍ରାମର ୨ଜଣ ଯୁବକ ଏକ ବାଇକରେ ନିଜ ଗ୍ରାମକୁ ଯାଉଥିବାବେଳେ ଉଭୟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ନହେବା ସହ ସବିଶେଷ ବିବରଣୀ ମିଳିପାରି ନାହିଁ । ଅନ୍ୟପଟେ ମୃତକଙ୍କ ପରିବାରବର୍ଗ ଡାକ୍ତରଖାନାରେ ଉପସ୍ଥିତ ଥିଲେ ମଧ୍ୟ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।