ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୨ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଉପଖଣ୍ଡର ଖପ୍ରାଖୋଲ ବ୍ଲକ ବାଞ୍ଜିପାଲି ଗ୍ରାମର ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗରେ ପାଟଣାଗଡ଼ ପୁଲିସ ୨ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଦ୍ୱୟ ହେଲେ ଉକ୍ତ ଗ୍ରାମର ବିକାଶ ସାହୁ(୨୩) ଓ ତା’ ସହଯୋଗୀ ଦେବରାଜ ନାୟକ(୩୨)।

ମିଳିଥିବା ରିପୋର୍ଟ ମୁତାବକ, ଉକ୍ତ ନାବାଳିକା ପାଟଣାଗଡ଼ ଥାନା ଅନ୍ତର୍ଗତ ଉଲବା ଗ୍ରାମରେ ରହୁଥିବା ନିଜର ମାଉସୀ ଘରକୁ ଆସିଥିବାବେଳେ ଗତ ୨୦ ତାରିଖରେ ଅପହରଣ ନେଇ ଝିଅର ମା’ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପରେ ଝିଅଟିକୁ ବାଞ୍ଜିପାଲି ଗ୍ରାମର ବିକାଶ ସାହୁ ଅପହରଣ କରି ନେଇଥିବା ବିଷୟରେ ପୁଲିସ ଜାଣିବା ସହ ସେମାନେ ବିଜୟନଗରମ୍ ଓ ବିଶାଖାପାଟଣା ଯାଇଥିବା ନିଶ୍ଚିତ ହୋଇଥିଲା । ତେବେ ସେମାନେ ସେଠାରୁ ଗତ ୨୯ ତାରିଖରେ ଫେରି ପାଟଣାଗଡ଼ ଅଞ୍ଚଳରେ ରହୁଥିବା ଜାଣି ପୁଲିସ ଚଢ଼ଉ କରି ଭାରତୀୟ ପିଙ୍ଗଳ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଅଭିଯୁକ୍ତ ବିକାଶ ସାହୁ ନକଲି ମାଓବାଦୀ ସାଜି ଅନେକ ଲୋକଙ୍କଠୁ ଚାନ୍ଦା ଆଦାୟ କରୁଥିଲା । ଏହି ଅଭିଯୋଗରେ ବିକାଶକୁ ପୂର୍ବରୁ ଖପ୍ରାଖୋଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।