ସ୍ତ୍ରୀକୁ ଯୌନ ନିର୍ଯାତନା ଦେଇ ହତ୍ୟା କଲା ସ୍ୱାମୀ: ହତ୍ୟା ଓ ଦୁଷ୍କର୍ମ ଅଭିଯୋଗରେ ଦୁଇ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଆଜି ଦେବଗଡ଼ ଥାନା ଅଞ୍ଚଳ ତାଳଖଳି ଗ୍ରାମରେ ଜଣେ ସ୍ୱାମୀ ପତ୍ନୀଙ୍କୁ ଯୌନ ନିର୍ଯାତନା ଦେଇ ହତ୍ୟା କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଏନେଇ ମୃତା ମହିଳାଙ୍କ ବାପାଙ୍କ ଅଭିଯୋଗକ୍ରମେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ତାଳଖଳି ଗ୍ରାମର ଭ୍ରମର କିସାନ (୪୨) ନିଜ ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ୧୫ ବର୍ଷ ପୂର୍ବେ ଉକ୍ତ ଗ୍ରାମର ଜଣେ ଜଣେ ଯୁବତୀଙ୍କୁ ଅପହରଣ କରି ନେଇ ବିବାହ କରିଥିଲେ। ସେମାନଙ୍କର ୨ଟି ସନ୍ତାନ ଅଛି। ଗତ କିଛି ବର୍ଷ ହେବ ଉଭୟେ ଗୋଟିଏ ଘରେ ରହୁଥିଲେ ମଧ୍ୟ ଅଲଗା ଚଳୁଥିଲେ। ନିକଟସ୍ଥ ଗ୍ରାମର ଏକ ଆମ୍ବ ବଗିଚାରେ ଶ୍ରମିକ ଭାବେ କାମ କରି ମହିଳା ଜଣକ ନିଜ ଗୁଜୁରାଣ ମେଣ୍ଟାଉ ଥିଲେ।

ଗତ ୬ ତାରିଖ ସନ୍ଧ୍ୟାରେ ଆମ୍ବ ବଗିଚା କରିଥିବା କଣ୍ଢଳ ଗ୍ରାମର ମହି ସାମଲ ଉକ୍ତ ମହିଳାଙ୍କ ଘରକୁ ଆସି ଶାରୀରିକ ସମ୍ପର୍କ ରଖୁଥିବାବେଳେ ମହିଳାଙ୍କ ନାବାଳିକା ଝିଅ ଏହା ଦେଖିଥିଲା। ଝିଅକୁ ଦେଖି ମହି ସେଠାରୁ ଚାଲି ଯିବା ପରେ ଏକଥା ମହିଳାଙ୍କ ସ୍ୱାମୀ ପରମାନନ୍ଦ ଜାଣି ପାରିଥିଲା। ପରେ ପରମାନନ୍ଦ ରାତିରେ ସ୍ତ୍ରୀକୁ ନିସ୍ତୁକ ପିଟିବା ସହ ଯୌନ ନିର୍ଯାତନା ଦେଇଥିଲା। ଏହି ଘଟଣାକୁ ତାଙ୍କ ଶିଶୁ ପୁତ୍ର ଦେଖିଥିଲା। ତେବେ ୭ ତାରିଖ ଦିନ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଗୁଣ୍ଡୁରୀପୋଷିର ଜନୈକ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଙ୍କ ଚିକିତ୍ସା ସତ୍ତ୍ୱେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସେଠାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ପଚାରିବାରୁ ସେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ପ୍ରକାଶ କରିଥିଲେ। ପରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୦ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ବୁର୍ଲା ଫାଣ୍ଡି ପୁଲିସ ଏକ ମାମଲା ରୁଜୁ କରି ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲା। ଏଥିସହ ପୁଲିସ ମୃତ ଦେହ ବ୍ୟବଚ୍ଛେଦ କରିଥିଲା। ଝିଅର ମୃତ୍ୟୁ ଖବର ଶୁଣି ମୃତାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ମୃତାଙ୍କ ସନ୍ତାନଙ୍କୁ ପଚରାଉଚରା କରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ମୃତାଙ୍କ ପିତା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ହତ୍ୟା ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀ ଓ ମହିକୁ ଗିରଫ କରି ପଚରାଉଚୁରା କରୁଛି। ଅଭିଯୁକ୍ତ ମାନେ ଘଟଣା ଘଟାଇଥିବା ସ୍ୱୀକାର କରିଥିଲେ। ଆଜି ଅଭିଯୁକ୍ତକୁ ଧରି ପୁଲିସ ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡରେ ବ୍ୟବହୃତ କାଠକୁ ଜବତ କରିଥିବା ସହ ପୁଲିସ ସମ୍ମୁଖରେ ଅଭିଯୁକ୍ତ ଘଟଣାର ଚିତ୍ରଣ କରିଥିଲା। ତେବେ ଏଭଳି ଅମାନୁଷିକ ଭାବେ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୁକ୍ତକୁ କଠୋର ଦଣ୍ଡ ପାଇଁ ମୃତାଙ୍କ ପିତା ପୁଲିସ ଆଗରେ ଗୁହାରି କରୁଥିବା ଦେଖିବାକୁ ମିଳିଛି।