ଲୁଟ ଘଟଣାରେ ୨ ଗିରଫ, ୧ ଲକ୍ଷ ନଗଦ ଟଙ୍କା ଜବତ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଅଞ୍ଚଳରେ ହୋଇଥିବା ପୃଥକ ଲୁଟ ଘଟଣାରେ ଆଜି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ୍ ଢ଼ୁକୁଣି ଏରାଗୋଲା କ୍ୟାମ୍ପ ଅଞ୍ଚଳର ଅଉଲ ରବି ଓ ଅଉଲ ପରମେସ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଗତ ଫେବୃଆରୀ, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଲୁଟ ହୋଇଥିଲା। ଏନେଇ ରାୟଗଡ଼ା ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇଥିଲା। ମାମଲାକୁ ଆଧାର କରି ପୁଲିସ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ସେମାନେ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟ କରିଥିବା ବେଳେ ସେମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଜବତ ହୋଇଛି। ପରେ ସେହି ଟଙ୍କାକୁ ପ୍ରକୃତ ହିତାଧିକାରୀଙ୍କୁ ଫେରାଇ ଦିଆଯାଇଛି।