ବେଆଇନ ନିଶା କାରବାର ଅଭିଯୋଗରେ ୨ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗୁରି ଗ୍ରାମରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ନିଶା କାରବାରରେ ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଦ୍ୱୟ ହେଲେ ସୁରେଶ ଖୁଣ୍ଟିଆ ଓ ନାରାୟଣ ବେହେରା । ସେମାନଙ୍କଠାରୁ ମଦ ଓ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ସିଙ୍ଗୁରି ଗ୍ରାମରେ ବେଆଇନ ନିଶା କାରବାର ଚାଲୁଥିବା ସୂଚନା ପାଇ ଆଜି ଜିଲ୍ଲା ଅବକାରୀ ବିଭାଗ ସ୍ୱତନ୍ତ୍ର ଦଳ ଉକ୍ତ ଗ୍ରାମରେ ଅତର୍କିତ ଭାବେ ଚଢ଼ଉ କରିଥିଲେ । ଏହି ସମୟରେ ସୁରେଶଙ୍କ ନିକଟରୁ ଅଢ଼େଇ କେଜି ବେଆଇନ ଗଞ୍ଜେଇ ଏବଂ ନାରାୟଣଙ୍କଠାରୁ ଦେଶୀ ମଦ, ମହୁଲ ପୋଚ ଓ ମଦ ପ୍ରସ୍ତୁତି ସାରଞ୍ଜାମ ଜବତ କରିବା ସହ ଗିରଫ କରିଥିବା ନେଇ ଅବକାରୀ ନିରୀକ୍ଷକ ମଧୁସୂଦନ ସାହୁ ସୂଚନା ଦେଇଛନ୍ତି ।